Nayapalli Crime: ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ‘ଆମ ବସ୍’ରେ ଫେରାର ହୋଇଥିବା ସନ୍ଦେହ
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୁଧବାର ରାତିରେ ବେହେରା ସାହି ଅଞ୍ଚଳରେ ଥିବା ଭଡ଼ା ଘରକୁ ଜଣେ ମୁଖାପିନ୍ଧା ବ୍ୟକ୍ତି ଜୋରଜବରଦସ୍ତି ପଶି ଧମକ ଦେଇଥିବା ଯୁବତୀ ପୁଲିସକୁ ଅଭିଯୋଗ କରିଛନ୍ତି। ଘଟଣା ସମୟରେ ତାଙ୍କ ଭଉଣୀ ଘରେ ନଥିବା ଜଣାପଡ଼ିଛି।
ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଅଭିଯୁକ୍ତ ଘଟଣା ପରେ ‘ଆମ ବସ୍’ରେ ଫେରାର ହୋଇଥିବା ସୂଚନା ମିଳିଥିବାରୁ ସମ୍ପୃକ୍ତ ବସ୍ ରୁଟ୍ ଓ ଅନ୍ୟାନ୍ୟ ତଥ୍ୟ ମଧ୍ୟ ପୁଲିସ ଯାଞ୍ଚ କରୁଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଖୋଜାଖୋଜି କରୁଥିବା ରିପୋର୍ଟ ହୋଇଛି।
ପୁଲିସ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ତାଙ୍କ ବୟାନ ରେକର୍ଡ କରିଛି। ତେବେ ବନ୍ଧୁକଟି ପ୍ରକୃତ ବନ୍ଧୁକ କିମ୍ବା ନକଲି ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତଙ୍କ ପରିଚୟ ଓ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ତଦନ୍ତ ପରେ ସ୍ପଷ୍ଟ ହେବ।

