Chhatrapur Accident: ରାସ୍ତାକଡ଼ରେ ମିନି ବସ୍କୁ ପିଟିଲା ଟ୍ରକ, ସିରିଜ୍ ଦୁର୍ଘଟଣାରେ ଜଣେ ମୃତ; ୩ ଗୁରୁତର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ମିନି ବସ୍କୁ ଟ୍ରକ ଧକ୍କା ଦେବା ପରେ ମିନି ବସ୍ଟି ଭାରସାମ୍ୟ ହରାଇ ଏକ ସ୍କୁଟି ଓ ୪ଟି ବାଇକ୍ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ଭାଗ୍ୟଲକ୍ଷ୍ମୀ ନଗର ଅଞ୍ଚଳର ଟୁକୁନା ଆଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଟ୍ରକ ଧକ୍କା ଦେବା ପରେ ମିନି ବସ୍ଟି ନିୟନ୍ତ୍ରଣ ହରାଇ ବାଇକ୍ ଓ ସ୍କୁଟି ଉପରେ ଚଢ଼ିଯାଇଥିଲା। ଏହି ସମୟରେ ଟୁକୁନା ବସ୍ ଚକା ତଳେ ଚାପି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଗୁରୁତର ଆହତମାନଙ୍କୁ ଛତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ନିଜ ଗାଡ଼ିରେ ଆହତମାନଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ଟୁକୁନାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଚାଲିଯାଇଥିବା ଜଣାପଡ଼ିଛି। ପରେ ଚମାଖଣ୍ଡି ଥାନା ପୁଲିସ ଟ୍ରକଟିକୁ କାଳିଆବାଲି ରୋଡ୍ରେ ଧରିଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣାର ସଠିକ୍ କାରଣ ଓ ଘଟଣାକ୍ରମ ଯାଞ୍ଚ କରାଯାଉଛି।

