Odisha Bandh: ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା, ୩ ପ୍ରମୁଖ ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର: ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଳନ ପାଇଁ ମିଳିତ ବିରୋଧୀ ଦଳଗୁଡ଼ିକ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରରେ ମଙ୍ଗଳବାର ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଏହି ଘୋଷଣା କରିଛନ୍ତି। INDIA ବ୍ଲକ୍ର ବିଭିନ୍ନ ଦଳର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଥିଲେ। ଅକ୍ଟୋବର ୮ର ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ଓ ଲୋକଙ୍କ ସମର୍ଥନ ଲୋଡ଼ାଯାଇଛି।
ବନ୍ଦ ପାଇଁ ମୁଖ୍ୟତଃ ତିନୋଟି ଦାବି ରହିଛି। MMDR Amendment Act, 2026 ପ୍ରତ୍ୟାହାର, ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଏବଂ SIR ପ୍ରକ୍ରିୟାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବି କରାଯାଇଛି। ଏହି ଦାବିଗୁଡ଼ିକୁ ନେଇ ମିଳିତ ବିରୋଧୀ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିବ ବୋଲି କହିଛି।
ଅକ୍ଟୋବର ୭ରେ ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବାକୁ ମଧ୍ୟ ଘୋଷଣା ହୋଇଛି। ଅକ୍ଟୋବର ୮ରେ ବିଭିନ୍ନ ଖଣି ଅଞ୍ଚଳରେ ରାଲି ଓ ଆନ୍ଦୋଳନ କରିବା ନେଇ ମଧ୍ୟ ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ତେବେ ଏହି ସମସ୍ତ ଦାବି ଓ ଅଭିଯୋଗ ବିରୋଧୀ ଦଳଗୁଡ଼ିକର ରାଜନୈତିକ ଦାବି ଭାବେ ଉଲ୍ଲେଖ ହେଉଛି।

