Flydubai Flight: କ୍ୟାପଟେନଙ୍କୁ ଆକ୍ରମଣ କରିଥିବା କୋ-ପାଇଲଟ୍କୁ UAEକୁ ହସ୍ତାନ୍ତର କଲା ସାଉଦି ଆରବ
ନୂଆଦିଲ୍ଲୀ: ଦୁବାଇରୁ ତେଲ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ କ୍ୟାପଟେନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ଓମାନୀ କୋ-ପାଇଲଟ୍ଙ୍କୁ ସାଉଦି ଆରବ ସରକାର UAEକୁ ହସ୍ତାନ୍ତର କରିଛି। ବିମାନର କକ୍ପିଟ୍ରେ ଘଟିଥିବା ଘଟଣା ଏବଂ ବିମାନକୁ କଥିତ ଭାବେ ଦୁର୍ଘଟଣାଗ୍ରସ୍ତ କରିବାର ଉଦ୍ୟମ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି।
ଏହି ଘଟଣା ପରେ ଫ୍ଲାଏଦୁବାଇର FZ1073 ବିମାନକୁ ବୁଧବାର ସାଉଦି ଆରବର ତାବୁକ୍ ସହରରେ ଜରୁରୀ ଅବତରଣ କରାଯାଇଥିଲା। ସାଉଦି ଆରବର ଗୃହ ମନ୍ତ୍ରଣାଳୟ କହିଛି ଯେ, ପ୍ରାଥମିକ ତଦନ୍ତରେ କୋ-ପାଇଲଟ୍ ଉଡ଼ାଣ ସମୟରେ କ୍ୟାପଟେନଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଘଟଣାରେ ଉଭୟ ପାଇଲଟ୍ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ପରେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିଥିଲା।
ଗୁରୁବାର ସକାଳେ ଉଭୟ ପାଇଲଟ୍ ଆବୁଧାବି ଯାଇଥିବା ସାଉଦି କର୍ତ୍ତୃପକ୍ଷ କହିଛନ୍ତି। UAEର ସୁରକ୍ଷା ଟିମ୍ ସହ ସମନ୍ୱୟରେ ସାଉଦି ଆରବ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇଥିଲା। ଏବେ UAE କର୍ତ୍ତୃପକ୍ଷ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କକ୍ପିଟ୍ରେ ଦୁଇ ପାଇଲଟଙ୍କ ମଧ୍ୟରେ ଘଟିଥିବା ବିବାଦର କାରଣ ଏବଂ ବିମାନକୁ ଜରୁରୀ ଅବତରଣ କରିବାକୁ କାହିଁକି ପଡ଼ିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

