Subhashree Death Case: ୭ ଦିନ ପରେ ବି ମିଳିନି ଶୁଭଶ୍ରୀଙ୍କ ମୃତଦେହ, ଜେଜେଙ୍କ ଏତଲା ପରେ ଘଟଣାକୁ ନେଇ ବଢ଼ିଲା ସନ୍ଦେହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳର ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ୭ ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ମୃତଦେହର ସନ୍ଧାନ ମିଳିନାହିଁ। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଶୁଭଶ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏପଟେ ସୋସିଆଲ ମିଡିଆରେ ଶୁଭଶ୍ରୀଙ୍କ ମୃତଦେହର ଫଟୋ ବୁଲୁଥିବା ଦାବି ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି ଅନୁସାରେ, ମୃତଦେହକୁ ପଥର ବାନ୍ଧି ନଦୀ ମଝିରେ ଫିଙ୍ଗି ଦିଆଯାଇଥିବା କୁହାଯାଉଛି। ତେବେ ଏହି ଦାବିର ସତ୍ୟତା ନେଇ ପୁଲିସ ପକ୍ଷରୁ ଅଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।
ଘଟଣା ସାମ୍ନାକୁ ଆସିବା ପରେ ରାଜନଗର ପୁଲିସ ଶୁଭଶ୍ରୀଙ୍କ ପରିବାର ସଦସ୍ୟ, ବୋଟ୍ ଚାଳକଙ୍କ ସମେତ ୮ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିବା କୁହାଯାଇଛି। ପ୍ରାୟ ୨ ଦିନ ପଚରାଉଚରା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିବା ଦାବି ହୋଇଛି। ଏହାପରେ ଶୁଭଶ୍ରୀଙ୍କ ଜେଜେ ରାଜନଗର ଥାନାରେ ନାତୁଣୀ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଶୁଭଶ୍ରୀ ନିଖୋଜ ହେବା ଦିନ ତାଙ୍କ ବାପା ଓ ମାଆ ଘରେ ନଥିବା ଉଲ୍ଲେଖ କରାଯାଇଥିବାରୁ ଘଟଣାକୁ ନେଇ ପରିବାର ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପଟେ, ଶୁଭଶ୍ରୀ ନିଖୋଜ ହେବାର କିଛି ଦିନ ପରେ ଜେଜେଙ୍କ ପକ୍ଷରୁ ଅଭିଯୋଗ ଦିଆଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହା ସହ ନଦୀର ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଲଗାତାର ସନ୍ଧାନ ଅଭିଯାନ କରାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଶୁଭଶ୍ରୀଙ୍କ ସହ ପ୍ରକୃତରେ କଣ ଘଟିଥିଲା, ସେ ନିଖୋଜ ହୋଇଛନ୍ତି ନା ତାଙ୍କ ମୃତ୍ୟୁ ଘଟିଛି ଏବଂ ଘଟଣାରେ କାହାର ସମ୍ପୃକ୍ତି ରହିଛି—ଏସବୁ ଦିଗରେ ପୁଲିସ ତଦନ୍ତ କରୁଛି। ମୃତଦେହ ମିଳିବା ଓ ତଦନ୍ତର ଅନ୍ୟାନ୍ୟ ପ୍ରମାଣ ସାମ୍ନାକୁ ଆସିବା ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

