Sourav Joshi: ଉତ୍ତରାଖଣ୍ଡରେ ସୌରଭ ଜୋଶୀଙ୍କୁ ଗାଳିଗୁଲଜ ଅଭିଯୋଗ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହଲ୍ଦୱାନୀରେ ୟୁଟ୍ୟୁବର ସୌରଭ ଜୋଶୀ ଓ ତାଙ୍କ ପରିବାର ସହ ଏକ ଗୋଷ୍ଠୀର ଲୋକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସୌରଭ ତାଙ୍କ ପତ୍ନୀ ଓ ଦୁଇ ଭାଇଙ୍କ ସହ କାର୍ରେ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ‘souravjvlogs’ରେ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, କଳା ରଙ୍ଗର ଏକ ନିସାନ୍ ମାଇକ୍ରା କାର୍ରେ ଥିବା କିଛି ବ୍ୟକ୍ତି ପ୍ରଥମେ ଗାଡ଼ିର ଝରକା ଖୋଲିବାକୁ କହିଥିଲେ। ଅଭିବାଦନ କରିବାକୁ ଚାହୁଁଥିବା ଭାବି ସେମାନେ ଝରକା ଖୋଲିଥିବା ବେଳେ ଉକ୍ତ ବ୍ୟକ୍ତିମାନେ ଗାଳିଗୁଲଜ କରିଥିବା ସୌରଭ ଅଭିଯୋଗ କରିଛନ୍ତି।
ସୌରଭଙ୍କ ଅନୁସାରେ, ଗାଡ଼ିରେ ଥିବା ବ୍ୟକ୍ତିମାନେ ମଦ୍ୟପାନ କରିଥିବା ଭଳି ଲାଗୁଥିଲା। ଅଭିଯୋଗ ପରେ ସେ ନିଜେ ଗାଡ଼ି ଚଳାଇ ସେମାନଙ୍କ କାର୍ର ପିଛା କରିଥିଲେ। ଦ୍ରୁତ ଗତିରେ ଯାଉଥିବା କାର୍ଟିକୁ କିଛି ସମୟ ପରେ ସେମାନେ ଏକ ସ୍ଥାନରେ ପାର୍କିଂ ହୋଇଥିବା ଦେଖିଥିଲେ। ତେବେ ସେଥିରେ ଥିବା ବ୍ୟକ୍ତିମାନେ ସେଠାରୁ ଚାଲିଯାଇଥିଲେ। କାର୍ର ଇଞ୍ଜିନ୍ ଚାଲୁ ଥିବା ସହ ଝରକା ଖୋଲା ଥିଲା ଏବଂ ଭିତରେ ମୋବାଇଲ୍ ଫୋନ୍ ମଧ୍ୟ ରହିଥିବା ସୌରଭ କହିଛନ୍ତି।
ଘଟଣା ସମ୍ପର୍କରେ ସୌରଭ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଅଧିକାରୀଙ୍କ ଅନୁସାରେ, ଅଭିଯୁକ୍ତମାନଙ୍କ ପରିଚୟ ଜାଣିବା ଏବଂ ସେମାନଙ୍କୁ ଧରିବା ପାଇଁ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ସୌରଭ ଜୋଶୀଙ୍କ ୟୁଟ୍ୟୁବ୍ରେ ୪ କୋଟିରୁ ଅଧିକ ଫଲୋଅର୍ ଥିବା ବେଳେ ଇନ୍ଷ୍ଟାଗ୍ରାମରେ ତାଙ୍କୁ ୧ କୋଟିରୁ ଅଧିକ ଲୋକ ଫଲୋ କରୁଛନ୍ତି।

