Nayapalli Rape Case: ମୋବାଇଲ ଯାଞ୍ଚରୁ ଖୋଲିଲା ଶ୍ରୀଧରଙ୍କ ଗୁମର, ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଗିରଫ ଶ୍ରୀଧର ପଣ୍ଡାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ପରେ କୋର୍ଟରେ ହାଜର କରାଯାଇଛି। କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଏହା ପୂର୍ବରୁ ପୋଲିସ ଏନକାଉଣ୍ଟରରେ ଗୋଡ଼ରେ ଗୁଳି ବାଜିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ତଦନ୍ତ ସମୟରେ ପୋଲିସ ଜବତ କରିଥିବା ତାଙ୍କ ମୋବାଇଲରୁ ଏକାଧିକ ଯୁବତୀଙ୍କ ସମ୍ପର୍କିତ ଆପତ୍ତିଜନକ ଡିଜିଟାଲ ସାମଗ୍ରୀ ମିଳିଥିବା ସୂଚନା ଆସିଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଶ୍ରୀଧର ଭୁବନେଶ୍ୱରର କିଛି ଲେଡିଜ୍ ହଷ୍ଟେଲ ଓ ଆବାସିକ ଅଞ୍ଚଳ ନିକଟରେ ଘୁରୁଥିବା ଏବଂ ସନ୍ଦେହଜନକ ଭାବେ ଲୋକଙ୍କ ଉପରେ ନଜର ରଖୁଥିବା ତଥ୍ୟ ସାମ୍ନାକୁ ଆସିଛି। ସେ ନିଜକୁ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକ ଭାବେ ଦେଖାଉଥିବାରୁ ତାଙ୍କ ଗତିବିଧି ନେଇ ଲୋକଙ୍କ ସନ୍ଦେହ କମ୍ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। ଜବତ ମୋବାଇଲରେ ମିଳିଥିବା ସାମଗ୍ରୀର ଉତ୍ସ, ସେଗୁଡ଼ିକ କେବେ ଓ କେଉଁଠାରୁ ସଂଗ୍ରହ ହୋଇଥିଲା, ଏବଂ ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି କି ନାହିଁ, ତାହା ପୋଲିସ ଯାଞ୍ଚ କରୁଛି।
ନୟାପଲ୍ଲୀ ଗଡ଼ସାହି ଘଟଣାରେ ମଧ୍ୟ ପୋଲିସ ଶ୍ରୀଧରଙ୍କ ପୂର୍ବ ଗତିବିଧି ଓ ଘଟଣା ପୂର୍ବର ଚଳାଚଳ ନେଇ ତଦନ୍ତ କରୁଛି। ଘଟଣାରେ ବ୍ୟବହୃତ ଅସ୍ତ୍ର, ମୋବାଇଲ୍ ତଥ୍ୟ ଓ ଅନ୍ୟ ପ୍ରମାଣକୁ ଆଧାର କରି ପୋଲିସ ମାମଲାର ପୂରା ଚିତ୍ର ସ୍ପଷ୍ଟ କରିବାକୁ ଚେଷ୍ଟା କରୁଛି। ମୋବାଇଲରୁ ମିଳିଥିବା ତଥ୍ୟ ସମ୍ପର୍କରେ ଅଧିକ ଯାଞ୍ଚ ପରେ ଶ୍ରୀଧରଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ସହ ସମ୍ପର୍କ ରହିଛି କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟତା ଆସିପାରେ।

