Indian Navy Sailor Arrest: ପାକିସ୍ତାନୀ ଗୁପ୍ତଚରଙ୍କ ହନି-ଟ୍ରାପ୍ରେ ଫସିଲେ ନୌସେନା ନାବିକ, ଯାଞ୍ଚ ପରେ ଗିରଫ
ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ଜଣେ ଅପରେଟିଭ୍ଙ୍କୁ ସମୁଦ୍ର ସୁରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ ନୌସେନାର ଜଣେ ନାବିକଙ୍କୁ ଗିରଫ କରାଯାଇଛି। ଅଧିକାରୀଙ୍କ ଅନୁସାରେ, ସୋସିଆଲ ମିଡିଆରେ ହନି-ଟ୍ରାପ୍ ମାଧ୍ୟମରେ ଏହି ଗୁପ୍ତଚର କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ରହିଛି। ଆନ୍ଧ୍ରପ୍ରଦେଶ ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍ ଅକ୍ଟୋବର ୩ ତାରିଖରେ କୋଏମ୍ବାଟୁରର INS Agraniରୁ ୩୧ ବର୍ଷୀୟ ପ୍ରଦୀପ ମୁଖାର୍ଜୀଙ୍କୁ ଗିରଫ କରିଛି।
ପଶ୍ଚିମବଙ୍ଗର ବାସିନ୍ଦା ପ୍ରଦୀପ ୨୦୧୪ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ଏବଂ ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ କାର୍ଯ୍ୟରତ ଥିଲେ। ଗିରଫ ସମୟରେ ସେ କୋଏମ୍ବାଟୁରର ନୌସେନା ପ୍ରଶିକ୍ଷଣ କେନ୍ଦ୍ରରେ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କୋର୍ସ କରୁଥିଲେ ଏବଂ ପ୍ରାୟ ଏକ ସପ୍ତାହ ଧରି ସେଠାରେ ଥିଲେ। ଅଭିଯୋଗ ଅନୁସାରେ, କିଛି ମାସ ପୂର୍ବରୁ ଜଣେ ମହିଳା ପାକିସ୍ତାନୀ ଗୁପ୍ତଚର ଅପରେଟିଭ୍ ତାଙ୍କ ସହ ସୋସିଆଲ ମିଡିଆରେ ଯୋଗାଯୋଗ କରିଥିଲେ। ପରେ ଏହି ଅନଲାଇନ୍ ସମ୍ପର୍କକୁ ବ୍ୟବହାର କରି ବିଶାଖାପାଟଣା ନାଭାଲ ବେସ୍, ରଣନୀତିକ ନୌସେନା ସମ୍ପତ୍ତି, ଜାହାଜର ଗତିବିଧି ଓ କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ନିଆଯାଇଥିବା ଅଭିଯୋଗ ହୋଇଛି।
ସନ୍ଦେହଜନକ ଡିଜିଟାଲ କାର୍ଯ୍ୟକଳାପ ଚିହ୍ନଟ ହେବା ପରେ କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ନାବିକଙ୍କ ଉପରେ ନଜର ରଖାଯାଇଥିବା ଅଧିକାରୀମାନେ କହିଛନ୍ତି। ଏବେ ତଦନ୍ତକାରୀ ଟିମ୍ ତାଙ୍କ ଦ୍ୱାରା କେତେ ପରିମାଣର ତଥ୍ୟ କଥିତ ଭାବେ ଶେୟାର କରାଯାଇଛି, ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଅନ୍ୟ କୌଣସି ଲିଙ୍କ୍ ଅଛି କି ନାହିଁ, ସେନେଇ ତଦନ୍ତ ଜାରି ରଖିଛି।

