Kalinga Studio New Look: ନୂଆ ରୂପରେ ଚମକିବ କଳିଙ୍ଗ ଷ୍ଟୁଡିଓ!ଆଜି ହେବ ଲୋକାର୍ପଣ
ଭୁବନେଶ୍ୱର: ଦୀର୍ଘ ଅପେକ୍ଷା ପରେ ଆଜି ନୂଆ ରୂପରେ ଖୋଲିବ କଳିଙ୍ଗ ଷ୍ଟୁଡିଓ। ନବୀକରଣ ହୋଇଥିବା କଳିଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ। ପ୍ରାୟ ୫ ବର୍ଷ ଧରି ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଏହାକୁ ନୂଆ ରୂପରେ ସିନେପ୍ରେମୀ ଓ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଉଛି।
ଭୁବନେଶ୍ୱରର ଖଣ୍ଡଗିରି-ଭରତପୁର ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ କଳିଙ୍ଗ ଷ୍ଟୁଡିଓର ନବନିର୍ମାଣ କରାଯାଇଛି। ସିନେମା ସୁଟିଂକୁ ସହଜ କରିବା ପାଇଁ ଏଠାରେ ବିଭିନ୍ନ ଆଧୁନିକ ସେଟ୍ ଓ ସୁବିଧା ରହିଛି। ଶୋ ୱାର୍ଲ୍ଡ, ଭୂତ ବଙ୍ଗଳା, ବିମାନବନ୍ଦର, ଗାଁ, ରାଜପ୍ରାସାଦ ଓ କଟେଜ୍ ଭଳି ବିଭିନ୍ନ ସେଟ୍ ନିର୍ମାଣ କରାଯାଇଛି, ଯାହା ସୁଟିଂ ପାଇଁ ଭିନ୍ନ ଭିନ୍ନ ପରିବେଶ ଯୋଗାଇବ।
କଳିଙ୍ଗ ଷ୍ଟୁଡିଓକୁ ଅଲ୍ଟ୍ରା ମଡର୍ଣ୍ଣ ଷ୍ଟୁଡିଓ ଏବଂ ଫିଲ୍ମ ଟେକ୍ ଜୋନ୍ ଭାବେ ଡିଜାଇନ୍ କରାଯାଇଛି। ଏଠାରେ ଭର୍ଚୁଆଲ ପ୍ରଡକ୍ସନ୍ ଓ AI ଜେନେରେଟେଡ୍ ଟେକ୍ନୋଲୋଜି ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର ପାଇଁ ସୁବିଧା ରହିଛି। ଏହାଦ୍ୱାରା ଓଡ଼ିଆ ଫିଲ୍ମ ନିର୍ମାତାମାନେ ରାଜ୍ୟ ବାହାରକୁ ନଯାଇ ଏଠାରେ ଆଧୁନିକ ଢଙ୍ଗରେ ସିନେମା ନିର୍ମାଣ କରିବାର ସୁଯୋଗ ପାଇପାରିବେ। ଏଥିସହ ବାହାର ରାଜ୍ୟର ନିର୍ମାତାଙ୍କୁ ମଧ୍ୟ ଓଡ଼ିଶାରେ ସୁଟିଂ ପାଇଁ ଆକର୍ଷିତ କରିବାର ସୁଯୋଗ ସୃଷ୍ଟି ହୋଇଛି।

