Odisha Student Politics: ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସରେ ଜମିବ ଛାତ୍ର ରାଜନୀତି! ୭ରେ ବିଜ୍ଞପ୍ତି, ୯ରେ ନାମାଙ୍କନ; ୧୫ରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ରାଜ୍ୟର କଲେଜ କ୍ୟାମ୍ପସରେ ପୁଣି ନିର୍ବାଚନୀ ମାହୋଲ ଦେଖିବାକୁ ମିଳିବ। ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୧୬ରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥଗ୍ରହଣ ହେବ। ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅକ୍ଟୋବର ୭ରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୯ ତାରିଖରେ ନାମାଙ୍କନପତ୍ର ଦାଖଲ ହେବ। ଦଶହରା ଛୁଟି ପୂର୍ବରୁ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ଯୋଜନା ରହିଛି।
ତେବେ ଛାତ୍ର ସଂସଦ ନିର୍ବାଚନ କେଉଁ ପଦ୍ଧତିରେ ହେବ, ସେନେଇ ଉଚ୍ଚଶିକ୍ଷା ବିଭାଗରେ ଆଲୋଚନା ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜରେ ହେବ କି ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ତଥାପି ୮ ବର୍ଷ ପରେ କ୍ୟାମ୍ପସ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟରେ ଉତ୍ସାହ ବଢ଼ିଛି।
ଅନ୍ୟପଟେ ରାଜ୍ୟର ପ୍ରମୁଖ ଛାତ୍ର ସଙ୍ଗଠନଗୁଡ଼ିକ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଛାତ୍ରନେତାମାନେ ନିଜ ନିଜ ସଙ୍ଗଠନର ପ୍ରଚାର ଓ ସମର୍ଥନ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ବିଶେଷକରି ନୂଆ କରି କଲେଜରେ ପ୍ରବେଶ କରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ବିଭିନ୍ନ ସଙ୍ଗଠନ ପ୍ରସ୍ତୁତି ଚଳାଇଛନ୍ତି। କେହି ସୋସିଆଲ ମିଡିଆରେ ସକ୍ରିୟ ହୋଇଥିବା ବେଳେ ଆଉ କେହି କ୍ୟାମ୍ପସରେ ନିଜ ସମର୍ଥନ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। କିଛି ଛାତ୍ରନେତା ସଙ୍ଗଠନ ପରିବର୍ତ୍ତନ କରିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

