Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Russia Health Alert: ଲ୍ୟାବ୍‌ରେ ଜୀବନ୍ତ ବ୍ୟାକ୍ଟେରିଆ ଥିବା ଟେଷ୍ଟ ଟ୍ୟୁବ୍‌ ଭାଙ୍ଗିଥିଲେ ଗବେଷକ! ମୃତ୍ୟୁ ପରେ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ରୁଷିଆର ସାଇବେରିଆରେ ସନ୍ଦିଗ୍ଧ ଲ୍ୟାବ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ୨୮ ବର୍ଷୀୟ ଗବେଷକ ଦାର୍ୟା ଶିପିଲୋଭାଙ୍କ ଗୁରୁତର ନିମୋନିଆରେ ମୃତ୍ୟୁ ପରେ ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ନଜରରେ ରଖାଯାଉଛି। ରିପୋର୍ଟ ଅନୁସାରେ, ଶିପିଲୋଭା ଇରକୁଟସ୍କ ଆଣ୍ଟି-ପ୍ଲେଗ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ କାମ କରୁଥିଲେ। ସେପ୍ଟେମ୍ବର ୨୯ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଦିନ ପରେ ଭେଣ୍ଟିଲେଟର୍‌ରେ ଥିବା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା।

କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଲ୍ୟାବ୍‌ରେ କାମ କରୁଥିବା ବେଳେ ଶିପିଲୋଭା ଜୀବନ୍ତ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍‌ ଭାଙ୍ଗି ଦେଇଥାଇପାରନ୍ତି। ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ସହ ନିରୀକ୍ଷଣରେ ରଖାଯାଉଛି। ଶେଲେଖୋଭ୍‌ ହସ୍ପିଟାଲ୍‌ରେ ପ୍ରାୟ ୨୦୦ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ରିପୋର୍ଟ ରହିଛି। ଏହାଛଡ଼ା ଅଞ୍ଚଳର ତିନୋଟି ହସ୍ପିଟାଲ୍‌ରେ ମଧ୍ୟ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି।

ତେବେ ଏହି ଘଟଣାରେ ପ୍ଲେଗ୍‌ ସଂକ୍ରମଣ ହୋଇଥିବା ରୁଷିଆ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ବୁରିଆତିଆର ମୁଖ୍ୟ ଆଲେକ୍ସେଇ ସିଡେନୋଭ୍‌ ମୃତ୍ୟୁର କାରଣ ସମ୍ଭବତଃ ପ୍ଲେଗ୍‌ ହୋଇପାରେ ବୋଲି କହିଥିବା ବେଳେ ପୂର୍ବତନ Rospotrebnadzor ମୁଖ୍ୟ ଗେନାଡି ଓନିଶ୍ଚେଙ୍କୋ ଏହା ପ୍ଲେଗ୍‌ ହେବାର ସମ୍ଭାବନା କମ୍‌ ବୋଲି କହିଛନ୍ତି। ଅଧିକାରୀମାନେ ବ୍ୟାପକ ସଂକ୍ରମଣର କୌଣସି ପ୍ରମାଣ ନଥିବା କହିଛନ୍ତି। ଏହି ଘଟଣା ପରେ ଲ୍ୟାବ୍‌ ଭିତରେ ପ୍ରକୃତରେ କ’ଣ ଘଟିଥିଲା ଏବଂ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories