Khatron Ke Khiladi 15 Winner: ଅବିନାଶ ମିଶ୍ରା ଜିତିଲେ ‘ଖତରୋଁ କେ ଖିଲାଡ଼ି’ ୧୫ର ଟ୍ରଫି! ମିଳିଲା ୨୦ ଲକ୍ଷ ଟଙ୍କା ସହ କାର୍ ଓ ୟୁରୋପ ଟ୍ରିପ୍
ମୁମ୍ବାଇ: ଫିଲ୍ମମେକର ରୋହିତ ଶେଟ୍ଟୀଙ୍କ ଷ୍ଟଣ୍ଟ୍ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ର ୧୫ତମ ସିଜନ୍ର ବିଜେତା ହୋଇଛନ୍ତି ଲୋକପ୍ରିୟ ଅଭିନେତା ଅବିନାଶ ମିଶ୍ରା। ଫିନାଲେ ଷ୍ଟଣ୍ଟ୍ରେ ସେ ଋତ୍ୱିକ ଧନଜାନୀ ଏବଂ ଓରିଙ୍କୁ ପଛରେ ପକାଇ ଟ୍ରଫି ହାତେଇଛନ୍ତି। ଏହି ବିଜୟ ସହ ଅବିନାଶଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି, ୟୁରୋପ ଭ୍ରମଣର ସୁଯୋଗ ଏବଂ ଏକ କାର୍ ମିଳିଛି। ଏହାସହ ଚଳିତ ସିଜନ୍ରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ମଧ୍ୟ ଏକ ବାଇକ୍ ଦିଆଯାଇଛି।
ବିଜୟ ପରେ ଅବିନାଶ କହିଛନ୍ତି ଯେ, ତାଙ୍କ ପାଇଁ ‘ଖତରୋଁ କେ ଖିଲାଡ଼ି’ କେବଳ ନିଜକୁ ଅନ୍ୟମାନଙ୍କ ଆଗରେ ପ୍ରମାଣ କରିବାର ମଞ୍ଚ ନଥିଲା, ବରଂ ନିଜକୁ ନିଜେ ଚିହ୍ନିବାର ଏକ ଯାତ୍ରା ଥିଲା। ଶୋ’ରେ ଯୋଗଦେବା ସମୟରେ ସେ ଭାବିଥିଲେ ଯେ ନିଜକୁ ପ୍ରମାଣ କରିବାକୁ ପଡ଼ିବ। କିନ୍ତୁ ଏହି ଯାତ୍ରା ତାଙ୍କୁ ବୁଝାଇଦେଲା ଯେ, ତାଙ୍କୁ ଆଉ କାହା ଆଗରେ ନୁହେଁ, ବରଂ ନିଜ ଆଗରେ ନିଜକୁ ପ୍ରମାଣ କରିବାର ଥିଲା।
ଅବିନାଶଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ଦର୍ଶକ ତାଙ୍କୁ ଟେଲିଭିଜନ୍ ଏବଂ ଜଣେ ଭଲ ଦେଖାଯାଉଥିବା ଅଭିନେତା ଭାବେ ଜାଣିଛନ୍ତି। ଏହି ପରିଚୟକୁ ସେ ଉପଭୋଗ କରୁଥିଲେ, ହେଲେ ତାଙ୍କ ଭିତରେ ଥିବା ଅନ୍ୟ ପ୍ରତିଭା ଓ କ୍ଷମତାକୁ ମଧ୍ୟ ଦର୍ଶକ ଦେଖନ୍ତୁ ବୋଲି ସେ ସବୁବେଳେ ଚାହୁଁଥିଲେ। ‘ଖତରୋଁ କେ ଖିଲାଡ଼ି ୧୫’ର ଏହି ଯାତ୍ରା ତାଙ୍କୁ ସେହି ସୁଯୋଗ ଦେଇଥିବାରୁ ବିଜୟ ତାଙ୍କ ପାଇଁ ଆହୁରି ଖାସ୍ ହୋଇଛି।

