IndiGo Flight Ticket Price: ଇଣ୍ଡିଗୋ ବିମାନ ଟିକେଟ୍ ମହଙ୍ଗା, ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ଇନ୍ଧନ ଶୁଳ୍କ
ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଆସିଛି ନୂଆ ଖବର। ଦେଶର ବଡ଼ ବିମାନ କମ୍ପାନୀ ଇଣ୍ଡିଗୋ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣରେ ଫ୍ୟୁଏଲ୍ ସରଚାର୍ଜ ବଢ଼ାଇଛି। ଅକ୍ଟୋବର ୬ରୁ ଏହି ନୂଆ ଚାର୍ଜ ଲାଗୁ ହୋଇଛି। ଏହାର ପ୍ରଭାବରେ ଇଣ୍ଡିଗୋ ବିମାନ ଟିକେଟ୍ ଦର ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି | ତେବେ ଇନ୍ଧନ ଦର ବଢ଼ିବା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।
ଘରୋଇ ଉଡ଼ାଣରେ ଦୂରତା ଅନୁସାରେ ଫ୍ୟୁଏଲ୍ ସରଚାର୍ଜ ଧାର୍ଯ୍ୟ କରାଯାଇଛି। ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ୩୭୫ ଟଙ୍କା, ୫୦୧ରୁ ୧,୦୦୦ କିଲୋମିଟର ପାଇଁ ୬୦୦ ଟଙ୍କା ମୂଲ୍ୟ ରହିଛି | ସେହିପରି ୧,୦୦୧ରୁ ୧,୫୦୦ କିଲୋମିଟର ପାଇଁ ୯୦୦ ଟଙ୍କା ଏବଂ ୧,୫୦୧ରୁ ୨,୦୦୦ କିଲୋମିଟର ପାଇଁ ୧,୧୫୦ ଟଙ୍କା ଯାତ୍ରୀଙ୍କୁ ଦେବାକୁ ପଡ଼ିବ। ଏହାସହ ୨,୦୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ ଚାର୍ଜ ୧,୩୦୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ମଧ୍ୟ ଫ୍ୟୁଏଲ୍ ସରଚାର୍ଜ ବଢ଼ାଯାଇଛି।
ଇଣ୍ଡିଗୋ କହିଛି ଯେ, ଗତ କିଛି ମାସ ଧରି ବିମାନ ଇନ୍ଧନ ଦରରେ ବୃଦ୍ଧି ଓ ପରିବର୍ତ୍ତନ ଦେଖାଯାଉଛି। ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ପରିସ୍ଥିତି ମଧ୍ୟ ଇନ୍ଧନ ଦର ଉପରେ ପ୍ରଭାବ ପକାଇଛି। ସଦ୍ୟ ମାସରେ ଇନ୍ଧନ ଦର ୧୪ ପ୍ରତିଶତରୁ ଅଧିକ ବଢ଼ିଥିବା କମ୍ପାନୀ କହିଛି। ବିମାନ ଚଳାଚଳ ଖର୍ଚ୍ଚରେ ଇନ୍ଧନର ବଡ଼ ଭାଗ ଥିବାରୁ ଏହାର ପ୍ରଭାବରେ ଫ୍ୟୁଏଲ୍ ସରଚାର୍ଜ ବଢ଼ାଇବାକୁ ପଡ଼ିଛି।

