SIR Row: ଭୋଟର ତାଲିକାରୁ ଅଯୋଗ୍ୟ ନାଁ ହଟାଇବା ଜରୁରୀ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ଭୋଟର ତାଲିକାରେ ନିୟମ ବିରୋଧରେ ସାମିଲ ହୋଇଥିବା ଅଯୋଗ୍ୟ ନାଁ ଚିହ୍ନଟ କରି ହଟାଇବା ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତା ପାଇଁ ଜରୁରୀ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। SIR ବା Special Intensive Revision ନେଇ ବିରୋଧ ଓ ପ୍ରତିବାଦ ମଧ୍ୟରେ ସେ ଏହି ମତ ରଖିଛନ୍ତି। ତାଙ୍କ ଅନୁସାରେ, ଭୋଟର ତାଲିକାକୁ ସଠିକ୍ ଓ ସ୍ୱଚ୍ଛ ରଖିବା ପାଇଁ ଏହି ଯାଞ୍ଚ ଅତ୍ୟନ୍ତ ଆବଶ୍ୟକ।
ଯୋଗୀ କହିଛନ୍ତି, ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ, ସ୍ଥାୟୀ ଭାବେ ଅନ୍ୟତ୍ର ଚାଲିଯାଇଥିବା ଲୋକଙ୍କ ନାଁ ଏବଂ ଏକାଧିକ ଥର ଥିବା ନାଁକୁ ଯାଞ୍ଚ କରିବା ଆବଶ୍ୟକ। ସେ ୧୮ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ନାଗରିକଙ୍କୁ ମଧ୍ୟ ଭୋଟର ତାଲିକାରେ ନିଜ ନାଁ ସାମିଲ କରିବାକୁ ଅପିଲ୍ କରିଛନ୍ତି।
ତେବେ SIRକୁ ନେଇ ବିରୋଧୀ ଦଳ, ଛାତ୍ର ସଂଗଠନ ଓ କିଛି ନାଗରିକ ସଂଗଠନ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ଏହି ପ୍ରକ୍ରିୟାରେ ବହୁ ସଂଖ୍ୟକ ଯୋଗ୍ୟ ଭୋଟରଙ୍କ ନାଁ ମଧ୍ୟ ତାଲିକାରୁ ବାଦ ପଡ଼ିଛି। ଅନ୍ୟପକ୍ଷରେ ନିର୍ବାଚନ କମିଶନ ଏହି ଅଭିଯୋଗକୁ ଖଣ୍ଡନ କରି SIR ନିର୍ଦ୍ଧାରିତ ନିୟମ ଅନୁସାରେ ଚାଲୁଥିବା କହିଛି।

