Noida News: ୩୦ ଲକ୍ଷରୁ ଅଧିକ ଋଣ ଏବଂ ଶିଶୁର ଚିକିତ୍ସା ଖର୍ଚ୍ଚ ଚିନ୍ତାରେ ୨୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା!
ନୋଏଡା: ଉତ୍ତରପ୍ରଦେଶର ନୋଏଡାର ସୁପରନୋଭା ବିଲ୍ଡିଂରୁ ଡେଇଁ ଜଣେ ୨୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା କରିଛନ୍ତି | ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକଙ୍କ ନାଁ ସମ୍ଭବ ଜୈନ ବୋଲି ଜଣାପଡ଼ିଛି। ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ସେ ଦୀର୍ଘଦିନ ଧରି ଆର୍ଥିକ ଚାପ ଓ ପାରିବାରିକ ବିବାଦରେ ଥିଲେ। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି।
ପୁଲିସ କହିଛି ଯେ, ସମ୍ଭବଙ୍କ ଉପରେ ୩୦ ଲକ୍ଷ ଟଙ୍କାରୁ ଅଧିକ ଋଣ ଥିଲା। ଏହା ସହିତ ତାଙ୍କ ଶିଶୁର ଚିକିତ୍ସା ଖର୍ଚ୍ଚକୁ ନେଇ ମଧ୍ୟ ସେ ଚିନ୍ତାରେ ରହିଥିବା ଜଣାପଡ଼ିଛି। ଏହାଛଡ଼ା ବିବାହିତ ଜୀବନରେ ବିବାଦ ଏବଂ ଭରଣପୋଷଣ ସମ୍ପର୍କିତ ଦାବି ମଧ୍ୟ ତାଙ୍କ ମାନସିକ ଚାପ ବଢ଼ାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଘଟଣା ପୂର୍ବରୁ ସମ୍ଭବ ଏକ ଭିଡିଓ ରେକର୍ଡ କରିଥିବା ପୁଲିସ ସୂଚନା ଦେଇଛି। ସେଥିରେ ସେ ନିଜର ଆର୍ଥିକ ସମସ୍ୟା ଓ ଋଣକୁ ନେଇ ଚିନ୍ତା ବ୍ୟକ୍ତ କରିଥିବା କୁହାଯାଇଛି। ତେବେ ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟ ସମସ୍ତ ପରିସ୍ଥିତି ନେଇ ପୁଲିସ ତଦନ୍ତ ଜାରି ରଖିଛି।

