Film Director Death: ସନ୍ଦେହ ଘେରରେ ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନଙ୍କ ମୃତ୍ୟୁ ଘଟଣା!
ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳର ଏକ ହୋଟେଲ୍ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ଅପରାହ୍ନରେ ସେ ଖାଇବା ଅର୍ଡର ନ କରିବାରୁ ହୋଟେଲ୍ କର୍ମଚାରୀ ତାଙ୍କ ରୁମ୍କୁ ଯାଇଥିଲେ। କବାଟ ବାଡ଼େଇବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି କବାଟ ଖୋଲିବା ପରେ ମୂରଲୀଧରନଙ୍କୁ ରୁମ୍ ଭିତରେ ତଳେ ପଡ଼ିଥିବା ଅବସ୍ଥାରେ ପାଇଥିଲା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣା ପରେ ଭରତପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ୍ୟୁର କାରଣ ଏବେ ମଧ୍ୟ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ହୋଟେଲ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ଏହାସହ ତାଙ୍କ ପରିବାର ସଦସ୍ୟଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ହୃଦ୍ଘାତ ଭଳି କୌଣସି ସ୍ୱାସ୍ଥ୍ୟଗତ କାରଣ ଥିଲା କିମ୍ବା ଘଟଣା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଏସ୍.କେ. ମୂରଲୀଧରନ ତାମିଲ ଫିଲ୍ମ ସହ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ | ଓଡ଼ିଆ ମୁଭି ‘ଛାତି ଚିରିଦେଲେ ତୁ’, ‘ନେଇଯାରେ ମେଘ ମତେ’, ‘ଆକାଶେ କି ରଙ୍ଗ ଲାଗିଲା’, ‘ତୋ ଆଖିରେ ମୁଁ’, ‘ନୂଆ ନୂଆ ପ୍ରେମରେ’ ଏବଂ ‘ମୁଁ ଆଶିକ ମୁଁ ଆୱାରା’ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କରି ନିର୍ଦ୍ଦେଶନାରେ ହୋଇଥିଲା | ତାଙ୍କ ମୃତ୍ୟୁ ଖବର ପରେ ଓଡ଼ିଆ ଓ ତାମିଲ ଚଳଚ୍ଚିତ୍ର ଜଗତରେ ଶୋକ ପ୍ରକାଶ ପାଇଛି।

