Jeffrey Archer Death: ୮୬ ବର୍ଷ ବୟସରେ ପ୍ରସିଦ୍ଧ ଲେଖକ ଜେଫ୍ରି ଆର୍ଚରଙ୍କ ଦେହାନ୍ତ, ଶୋକରେ ସାହିତ୍ୟ ଜଗତ
ନୂଆଦିଲ୍ଲୀ: ବ୍ରିଟିଶ୍ ଲେଖକ ଜେଫ୍ରି ଆର୍ଚରଙ୍କ ୮୬ ବର୍ଷ ବୟସରେ ହଠାତ୍ ଦେହାନ୍ତ ହୋଇଛି। ବେଷ୍ଟସେଲର୍ ଉପନ୍ୟାସର ଲେଖକ ଭାବେ ପରିଚିତ ଆର୍ଚର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ଏବଂ କନ୍ଜରଭେଟିଭ୍ ପାର୍ଟିର ସାଂସଦ ଭାବେ କାମ କରିଥିଲେ। ତାଙ୍କ ମୃତ୍ୟୁ ଖବର ତାଙ୍କ ପ୍ରକାଶକ ହାର୍ପରକଲିନ୍ସ ପକ୍ଷରୁ ନିଶ୍ଚିତ କରାଯାଇଛି।
ଜେଫ୍ରି ଆର୍ଚର ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଲେଖାଲେଖି କରିଥିଲେ। ତାଙ୍କ ଅନେକ ଉପନ୍ୟାସ ବିଶ୍ୱବ୍ୟାପୀ ଭାବେ ବେଷ୍ଟସେଲର୍ ହୋଇଥିଲା। ତେବେ ତାଙ୍କ ଜୀବନରେ ରାଜନୈତିକ ବିବାଦ ମଧ୍ୟ ରହିଥିଲା। ସେ ମିଥ୍ୟା ସାକ୍ଷ୍ୟ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ମୃତ୍ୟୁ ପୂର୍ବରୁ ଆର୍ଚର ତାଙ୍କ ଶେଷ ଉପନ୍ୟାସ ବୋଲି କହିଥିବା ‘Adam and Eve’କୁ ନେଇ ଏହି ସପ୍ତାହରେ ଚେଲ୍ଟେନହାମ୍ ଲିଟରେରୀ ଫେଷ୍ଟିଭାଲ୍ରେ ଯୋଗଦେବାର ଥିଲା। ପ୍ରାୟ ୫୦ ବର୍ଷର ଲେଖକ ଜୀବନ ପରେ ଏହି ପୁସ୍ତକକୁ ସେ ନିଜର ଶେଷ ଉପନ୍ୟାସ ଭାବେ ବର୍ଣ୍ଣନା କରିଥିଲେ। ତାଙ୍କ ଦେହାନ୍ତରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।

