Film City Fire: ଧୋନି-ବାଦଶାହଙ୍କ ସୁଟିଂ ମଝିରେ ଫିଲ୍ମ ସିଟିରେ ଭୟଙ୍କର ଅଗ୍ନିକାଣ୍ଡ! ଆତଙ୍କିତ ହେଲେ କଳାକାର
ମୁମ୍ବାଇ: ମୁମ୍ବାଇର ଗୋରେଗାଓଁସ୍ଥିତ ଦାଦାସାହେବ ଫାଲକେ ଚିତ୍ରନଗରୀ ବା ଫିଲ୍ମ ସିଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଫିଲ୍ମ ସିଟିର ‘ପ୍ରାଇମ୍ ଫୋକସ୍ ଷ୍ଟୁଡିଓ’ର ଏକ ଅଂଶରେ ହଠାତ୍ ନିଆଁ ଲାଗିଥିଲା। ଘଟଣା ସମୟରେ ନିକଟସ୍ଥ ଅଞ୍ଚଳରେ ଅନେକ କଳାକାର ଓ କ୍ରୁ ସଦସ୍ୟ ବିଭିନ୍ନ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଥିଲେ। ନିଆଁ ଲାଗିବା ପରେ ସେଟ୍ରେ ଆତଙ୍କ ଖେଳିଯାଇଥିଲା ଏବଂ ସୁରକ୍ଷା ଦୃଷ୍ଟିରୁ ସୁଟିଂ ବନ୍ଦ କରାଯାଇଥିଲା।
ଘଟଣାସ୍ଥଳ ନିକଟରେ ‘MTV Hustle’ର ଗ୍ରାଣ୍ଡ ଫିନାଲେ ସୁଟିଂ ଚାଲିଥିବା କୁହାଯାଉଛି। ସେଠାରେ ରାପର୍ ବାଦଶାହଙ୍କ ସମେତ ରଫ୍ତାର, ଇକ୍କା ଓ ଡିନୋ ଜେମ୍ସଙ୍କ ଭଳି କଳାକାର ଏବଂ ଜୁରି ସଦସ୍ୟ ଉପସ୍ଥିତ ଥିଲେ। ଏହାଛଡ଼ା ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ଏମ୍.ଏସ୍. ଧୋନି ମଧ୍ୟ ନିକଟସ୍ଥ ଅଞ୍ଚଳରେ ଏକ ବିଜ୍ଞାପନର ସୁଟିଂ କରୁଥିବା ସୂଚନା ମିଳିଛି। ନିଆଁରୁ ବାହାରିଥିବା ଧୂଆଁ ଯୋଗୁଁ ସେଟ୍ରେ ଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା।
ଖବର ପାଇ ମୁମ୍ବାଇ ଅଗ୍ନିଶମ ବାହିନୀର ୪ରୁ ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନଥିବା ସୂଚନା ମିଳିଛି। ବାଦଶାହ, ଏମ୍.ଏସ୍. ଧୋନିଙ୍କ ସମେତ ଅନ୍ୟ କଳାକାର ଓ କ୍ରୁ ସଦସ୍ୟମାନେ ସୁରକ୍ଷିତ ଥିବା କୁହାଯାଇଛି। ପ୍ରାଥମିକ ଭାବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

