Gujarat MLA Fire Brigade Controversy: ବିଧାୟକଙ୍କ ଘର ସଫା ପାଇଁ ଫାୟାର ବ୍ରିଗେଡ୍! ଭିଡିଓ ଭାଇରାଲ ପରେ ବିବାଦ
ଗୁଜରାଟ: ଗୁଜରାଟର ଦାହୋଦ ଜିଲ୍ଲାରେ ସରକାରୀ ଫାୟାର ବ୍ରିଗେଡ୍କୁ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ବିବାଦ ଦେଖାଦେଇଛି। ଭାଇରାଲ ଭିଡିଓରେ ଦେବଗଢ଼ ବାରିଆ ନଗରପାଳିକାର ଫାୟାର ବ୍ରିଗେଡ୍ ଗାଡ଼ିରୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଚୁଭାଇ ଖାବଡଙ୍କ ଧାନପୁରସ୍ଥିତ ଘରର ବାହାର କାନ୍ଥରେ ପାଣି ପକାଯାଉଥିବା ଦେଖାଯାଇଛି। ଏହି ସରକାରୀ ଗାଡ଼ିକୁ ଘର ସଫା କାମରେ କାହିଁକି ବ୍ୟବହାର କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
ନଗରପାଳିକା ଅଧିକାରୀଙ୍କ ସୂଚନା ଅନୁସାରେ, ଘଟଣା ପରେ ବିଧାୟକଙ୍କ ପୁଅ ବଳବନ୍ତ ଖାବଡଙ୍କ ନାମରେ ୨,୭୦୦ ଟଙ୍କାର ରସିଦ କାଟି ଶୁଳ୍କ ଆଦାୟ କରାଯାଇଛି। ଅଧିକାରୀଙ୍କ କହିବା ଅନୁସାରେ, ଫାୟାର ବ୍ରିଗେଡ୍କୁ ଘଟଣାସ୍ଥଳକୁ ପଠାଇବା ସମୟରେ ଏହାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ ସୂଚନା ନଥିଲା। ସେଠାରେ ପହଞ୍ଚିବା ପରେ ଘରର ବାହାର କାନ୍ଥ ସଫା କରାଯାଉଥିବା ଜଣାପଡ଼ିଥିଲା।
ଭିଡିଓ ସାମ୍ନାକୁ ଆସିବା ପରେ ଦେବଗଢ଼ ବାରିଆ ନଗରପାଳିକା ପକ୍ଷରୁ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଫାୟାର ବ୍ରିଗେଡ୍ ଭଳି ଜରୁରୀକାଳୀନ ସେବାର ଗାଡ଼ିକୁ ଘରୋଇ କାମ ପାଇଁ କିଭଳି ଭାବେ ବ୍ୟବହାର କରାଗଲା ତାହା ଏକ ବଡ ପ୍ରଶ୍ନ | ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ନଗରପାଳିକାର ଚିଫ୍ ଅଫିସର ଆଗକୁ କ’ଣ ପଦକ୍ଷେପ ନିଆଯିବ, ସେନେଇ ଯାଞ୍ଚ କରୁଛନ୍ତି।

