Rajnath Singh Odisha Visit: ଆଜି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସୁନାବେଡ଼ାରେ ଶକ୍ତି ଇଞ୍ଜିନ୍ ୟୁନିଟ୍ର କରିବେ ଶିଳାନ୍ୟାସ
ସୁନାବେଡା: ଓଡ଼ିଶା ଗସ୍ତରେ ଆସି ସୁନାବେଡ଼ାରେ ପହଞ୍ଚିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁସାରେ, ସେ ଅପରାହ୍ନ ୨ଟା ୨୫ ମିନିଟ୍ରେ ସୁନାବେଡ଼ାର ଟିଟିଏସ୍ ହେଲିପ୍ୟାଡ୍ରେ ପହଞ୍ଚିବେ। ତାଙ୍କ ଏହି ଗସ୍ତକୁ ନେଇ କୋରାପୁଟ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ହୋଇଛି।
ଗସ୍ତ ସମୟରେ ରାଜନାଥ ସିଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ସୁନାବେଡ଼ା ପରିସରରେ ଶକ୍ତି ଇଞ୍ଜିନ୍ ଉତ୍ପାଦନ ୟୁନିଟ୍ର ଶିଳାନ୍ୟାସ କରିବେ। ଏହା ସହ ସେ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ। କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ନ ୪ଟା ୫ ମିନିଟ୍ ପର୍ଯ୍ୟନ୍ତ ସେ HAL ପରିସରରେ ରହିବେ।
ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁନାବେଡ଼ା HAL ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଏନେଇ ସୂଚନା ଦେଇଛନ୍ତି। ଶକ୍ତି ଇଞ୍ଜିନ୍ ୟୁନିଟ୍ର ଶିଳାନ୍ୟାସ ଏହି ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।

