Karnataka Farmer Marriage Request: ଚାଷୀଙ୍କ ପାଇଁ କନ୍ୟା ଖୋଜନ୍ତୁ ସରକାର! ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଅଜବ ନିବେଦନ ଭାଇରାଲ
କର୍ଣ୍ଣାଟକ: କର୍ଣ୍ଣାଟକରେ ଜଣେ ଚାଷୀଙ୍କ ଅନନ୍ୟ ନିବେଦନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ମହୀଶୂର ଜିଲ୍ଲାର ପିରିୟାପଟଣାରେ ଆୟୋଜିତ ‘ପ୍ରଜା ସେବା’ କାର୍ଯ୍ୟକ୍ରମରେ ଚାଷୀ ଜଣକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଚାଷୀଙ୍କ ପାଇଁ କନ୍ୟା ଖୋଜିବାରେ ସରକାର ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିବା ଖବର ସାମ୍ନାକୁ ଆସିଛି। ତାଙ୍କ କହିବା ଅନୁସାରେ, ଏହା ଅନେକ ଚାଷୀ ପରିବାରକୁ ପ୍ରଭାବିତ କରୁଥିବା ଏକ ଗୁରୁତର ସମସ୍ୟା।
ଚାଷୀଙ୍କ ଅଭିଯୋଗ ଅନୁସାରେ, ୩୫ରୁ ୪୦ ବର୍ଷ ବୟସର ଅନେକ ଚାଷୀଙ୍କ ବିବାହ ହୋଇପାରୁନାହିଁ। ବିବାହ ପାଇଁ କନ୍ୟା ପକ୍ଷର ପରିବାରଗୁଡ଼ିକ ସରକାରୀ ଚାକିରି କିମ୍ବା କର୍ପୋରେଟ୍ କ୍ଷେତ୍ରରେ ନିୟମିତ ଦରମା ପାଉଥିବା ବରଙ୍କୁ ଅଧିକ ପସନ୍ଦ କରୁଥିବା ସେ କହିଛନ୍ତି। ଜମିବାଡ଼ି ଓ ଘର ଥିଲେ ମଧ୍ୟ ଚାଷୀମାନେ ବିବାହ ପ୍ରସଙ୍ଗରେ ଅଣଦେଖାର ଶିକାର ହେଉଥିବା ନେଇ ସେ ମତ ପ୍ରକାଶ କରିଛନ୍ତି ।
ଏବେ ଏହି ସମସ୍ୟାର ସମାଧାନ ପାଇଁ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଚାଷୀ ଜଣକ ଡି.କେ. ଶିବକୁମାରଙ୍କୁ ଅନୁରୋଧ କରିଥିଲେ। ଏହା କେବଳ କିଛି ବ୍ୟକ୍ତିଙ୍କ ସମସ୍ୟା ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଜଡ଼ିତ ବୋଲି ସେ ମତ ଦେଇଥିବା ଜଣାପଡ଼ିଛି। ଚାଷୀଙ୍କ ଏହି ନିବେଦନ ଭାଇରାଲ ହେବା ପରେ କୃଷିଜୀବୀଙ୍କ ସାମାଜିକ ସମସ୍ୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

