Women Empowerment: ଦଶହରା ପୂର୍ବରୁ ମିଶନ ଶକ୍ତି ମହିଳାଙ୍କୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ୧.୭୯ ଲକ୍ଷ SHGକୁ ମିଳିଲା ୯୯.୨୬ କୋଟି ସୁଧ ଫେରସ୍ତ
ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀ (SHG)କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏହାସହ ୨୬ଟି ଜିଲ୍ଲାର ୩୭୧ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ (GPLF)କୁ ୧୧୩.୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ୨,୮୮,୧୯୮ଟି SHGକୁ ୧୪୭.୭୭ କୋଟି ଟଙ୍କାର ସୁଧ ଫେରସ୍ତ ହୋଇଥିଲା। ଏହି ଦୁଇ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ମୋଟ ୨୪୭.୦୩ କୋଟି ଟଙ୍କା ସୁଧ ଫେରସ୍ତ କରାଯାଇଛି।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଆର୍ଥିକ କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ପୁଞ୍ଜି, ଆବର୍ତ୍ତନ ପାଣ୍ଠି, ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ନିରାପତ୍ତା ପାଣ୍ଠି ଯୋଗାଇ ଦେଉଛନ୍ତି। ଏହାସହ ସୁଧ ଫେରସ୍ତ ସୁବିଧା ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମଧ୍ୟ ଦିଆଯାଉଛି। ଏହି ବ୍ୟବସ୍ଥା ମାଧ୍ୟମରେ ମହିଳା ଗୋଷ୍ଠୀଗୁଡ଼ିକୁ ନିଜ ଆର୍ଥିକ କାମକୁ ଆଗକୁ ବଢ଼ାଇବାରେ ସହାୟତା ମିଳୁଛି।
ଅନ୍ୟପଟେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମିଶନ ଶକ୍ତି କାର୍ଯ୍ୟାଳୟରେ ଦୁଇଟି ବୁଝାମଣା ପତ୍ର (MoU) ସ୍ୱାକ୍ଷର ହୋଇଛି। ‘ଲକ୍ଷପତି ଦିଦି’ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ‘କଲେକ୍ଟିଭ୍ ଫର୍ ଇଣ୍ଟିଗ୍ରେଟେଡ୍ ଲାଇଭଲିହୁଡ୍ ଇନିସିଏଟିଭ୍ସ’ (CINI) ସହ MoU ହୋଇଥିବା ବେଳେ ମହିଳା ଗୋଷ୍ଠୀଗୁଡ଼ିକ ମଧ୍ୟରେ ସବୁଜ ଉଦ୍ୟୋଗିତା ବଢ଼ାଇବା ପାଇଁ ଓରେଡା ସହ ଆଉ ଏକ MoU ସ୍ୱାକ୍ଷରିତ ହୋଇଛି।

