Gyanesh Kumar Chhattisgarh Visit: ଅଚାନକ ଟଳିଲା CEC ଜ୍ଞାନେଶ କୁମାରଙ୍କ ଛତିଶଗଡ଼ ଗସ୍ତ, ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଦୁଇଦିନିଆ ଛତିଶଗଡ଼ ଗସ୍ତ ସ୍ଥଗିତ ହୋଇଛି। ଅକ୍ଟୋବର ୭ ଓ ୮ ତାରିଖରେ ଏହି ଗସ୍ତ ହେବାର ଥିଲା। ଛତିଶଗଡ଼ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପତ୍ରରେ ଗସ୍ତ ସ୍ଥଗିତ କରାଯିବାର କାରଣ ଭାବେ ‘ଜରୁରୀ କାରଣ ଦର୍ଶାଇ ଗସ୍ତ ସ୍ଥଗିତ କରାଯାଇଥିବା’ ଦର୍ଶାଯାଇଛି। ନୂଆ ତାରିଖ ପରେ ଘୋଷଣା କରାଯିବ |
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜ୍ଞାନେଶ କୁମାର ଦନ୍ତେୱାଡ଼ା ଜିଲ୍ଲାର ପ୍ରସିଦ୍ଧ ଦନ୍ତେଶ୍ୱରୀ ମାତା ମନ୍ଦିର, ବସ୍ତରର ଚିତ୍ରକୋଟ ଜଳପ୍ରପାତ ଏବଂ କବର୍ଧା ଜିଲ୍ଲାର ଭୋରମଦେବ ମନ୍ଦିର ପରିଦର୍ଶନ କରିବାର ଥିଲା। ଏହି ଗସ୍ତ ପାଇଁ ଛତିଶଗଡ଼ ସରକାର ତାଙ୍କୁ ‘ରାଜ୍ୟ ଅତିଥି’ ମାନ୍ୟତା ମଧ୍ୟ ଦେଇଥିଲେ ଏବଂ ଆବଶ୍ୟକ ପ୍ରୋଟୋକଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଗସ୍ତ ସ୍ଥଗିତ ହେବା ସମୟରେ ନିର୍ବାଚନ କମିଶନଙ୍କ SIR ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଜାରି ରହିଛି ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଉଛି। ତେବେ ଅଧିକାରିକ ଭାବେ ଗସ୍ତ ସ୍ଥଗିତ ହେବାର କାରଣକୁ ଏହି ବିରୋଧ ସହ ଯୋଡ଼ାଯାଇନାହିଁ; କେବଳ ‘ଅପରିହାର୍ଯ୍ୟ କାରଣ’ କୁହାଯାଇଛି।

