Odisha SIR: ଭୋଟର ତାଲିକାରୁ ବାଦ୍ ପଡ଼ିଥିଲେ ଚିନ୍ତା ନାହିଁ, ଆଜିଠୁ ନାଁ ଯୋଡ଼ିବାକୁ ବଡ଼ ସୁଯୋଗ, ଏପରି କରନ୍ତୁ ଆବେଦନ
ଭୁବନେଶ୍ୱର: SIR-୨୦୨୬ ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ପୁଣି ନାଁ ସାମିଲ କରିବାର ସୁଯୋଗ ମିଳିବ। ଏଥିପାଇଁ ଓଡ଼ିଶାରେ ଅକ୍ଟୋବର ୭ରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ସ୍ୱତନ୍ତ୍ର ଭୋଟର ନାମ ପଞ୍ଜୀକରଣ ଅଭିଯାନ ଚାଲିବ। SIR ସମୟରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାଁ ବାଦ୍ ପଡ଼ିଛି କିମ୍ବା ମ୍ୟାପିଂ ପ୍ରକ୍ରିୟାରେ ସାମିଲ ହୋଇପାରିନାହାନ୍ତି, ସେମାନେ ଏହି ସୁଯୋଗରେ ଆବେଦନ କରିପାରିବେ।
ନାଁ ସାମିଲ ପାଇଁ ଯୋଗ୍ୟ ଭୋଟରମାନେ ନିଜ ଅଞ୍ଚଳର ବୁଥ୍ ଲେଭଲ ଅଫିସର (BLO)ଙ୍କ ନିକଟରେ ‘ଫର୍ମ-୬’ ଦାଖଲ କରିପାରିବେ। ଏଥିସହ ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ନୂଆ ଭୋଟରମାନେ ମଧ୍ୟ ନାଁ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଯେଉଁ ଯୋଗ୍ୟ ଭୋଟରଙ୍କ ନାଁ ଭୁଲରେ ବାଦ୍ ପଡ଼ିଛି, ସେମାନେ ମଧ୍ୟ ଦାବି ଓ ଆପତ୍ତି ଦାଖଲ କରି ତାଲିକାରେ ନାଁ ଯୋଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିପାରିବେ।
SIR ସମୟରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଏବଂ ଦୋହରା ଭୋଟରଙ୍କ ତାଲିକା ମଧ୍ୟ CEO ଓଡ଼ିଶା ଏବଂ ସମ୍ପୃକ୍ତ ଜିଲ୍ଲା ୱେବସାଇଟରେ ଉପଲବ୍ଧ କରାଯାଇଛି। ଭୋଟରମାନେ ଏହି ତାଲିକା ଯାଞ୍ଚ କରି ନିଜ ନାଁ ଭୁଲ ଭାବେ ବାଦ୍ ପଡ଼ିଥିଲେ କିମ୍ବା ଭୁଲ ଶ୍ରେଣୀରେ ରଖାଯାଇଥିଲେ ଦାବି ଓ ଆପତ୍ତି ଦାଖଲ କରିପାରିବେ। ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଏହି ତାଲିକା ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ।

