Smriti Mandhana Captain: ହରମନପ୍ରୀତଙ୍କ ପରେ ସ୍ମୃତି ମନ୍ଧାନାଙ୍କୁ ବଡ଼ ଦାୟିତ୍ୱ, ଭାରତୀୟ ମହିଳା ଟିମ୍ର ହେଲେ ନୂଆ ଅଧିନାୟକ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ନେତୃତ୍ୱରେ ବଡ଼ ପରିବର୍ତ୍ତନ ହୋଇଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟ୍ର ଅଧିନାୟକ ପଦ ଛାଡ଼ିବା ପରେ ବିସିସିଆଇ ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା ଟିମ୍ର ନୂଆ ଅଧିନାୟକ ନିଯୁକ୍ତ କରିଛି। ହରମନପ୍ରୀତ ଅଧିନାୟକ ଭାବେ ଭାରତକୁ ୨୦୨୫ ମହିଳା ଦିନିକିଆ ବିଶ୍ୱକପ୍ରେ ପ୍ରଥମ ଥର ଚାମ୍ପିୟନ କରିବା ସହ ନିକଟରେ ଏସିଆନ୍ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ତେବେ ଅଧିନାୟକ ପଦ ଛାଡ଼ିବା ପରେ ସେ ଖେଳାଳି ଭାବେ ଦଳରେ ଖେଳିବେ।
ସ୍ମୃତି ମନ୍ଧାନା ପୂର୍ବରୁ ହରମନପ୍ରୀତଙ୍କ ଡେପୁଟି ଥିଲେ ଏବଂ ଭାରତ ପାଇଁ ୧୮ଟି T20I ଓ ୪ଟି ODIରେ ଅଧିନାୟକତ୍ୱ କରିସାରିଛନ୍ତି। ୨୦୧୩ରୁ ଭାରତୀୟ ଟିମ୍ର ଅଂଶ ଥିବା ମନ୍ଧାନାଙ୍କ ପାଖରେ ଅନ୍ତର୍ଜାତୀୟ ସହ ଘରୋଇ ଓ ଫ୍ରାଞ୍ଚାଇଜ୍ କ୍ରିକେଟ୍ର ମଧ୍ୟ ନେତୃତ୍ୱ ଅଭିଜ୍ଞତା ରହିଛି। ୱିମେନ୍ସ ପ୍ରିମିୟର ଲିଗ୍ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୦୨୪ ଓ ୨୦୨୬ରେ ଚାମ୍ପିୟନ କରିଛନ୍ତି।
ନୂଆ ଦାୟିତ୍ୱ ମିଳିବା ପରେ ମନ୍ଧାନା ଏହାକୁ ନିଜ ପାଇଁ ବଡ଼ ସମ୍ମାନ ବୋଲି କହିଛନ୍ତି। ଭାରତର ନେତୃତ୍ୱ ନେବାର ଦାୟିତ୍ୱକୁ ସେ ଗୁରୁତ୍ୱର ସହ ନେବେ ବୋଲି କହିବା ସହ ହରମନପ୍ରୀତଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ମନ୍ଧାନାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍ର ନୂଆ ଅଧ୍ୟାୟ ଆରମ୍ଭ ହେବ। ଟିମ୍ର ପରବର୍ତ୍ତୀ ଦାୟିତ୍ୱ ଜିମ୍ବାୱେ ବିପକ୍ଷ ସିରିଜ୍ରୁ ଆରମ୍ଭ ହେବ।

