Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vrindavan Gurukulam Tragedy: ବିଷାକ୍ତ ଗ୍ୟାସ୍‌ ଲିକ୍‌ ସନ୍ଦେହ, ପାଣି ଟାଙ୍କ ସଫା କରିବାକୁ ଯାଇ ୪ ଛାତ୍ର ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବୃନ୍ଦାବନର ଚୈତନ୍ୟ ବିହାରସ୍ଥିତ ମହର୍ଷି ପାଣିନି ଗୁରୁକୁଳରେ ଏକ ଦୁଃଖଦ ଘଟଣାରେ ୪ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପରିସରରେ ଥିବା ପ୍ରାୟ ୧୦ରୁ ୧୨ ଫୁଟ୍‌ ଗଭୀର ଭୂତଳ ପାଣି ଟାଙ୍କିରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ସଫା କରିବା ପାଇଁ ଜଣେ ଛାତ୍ର ପ୍ରଥମେ ଭିତରକୁ ଯାଇଥିଲେ। ସେ ବାହାରକୁ ନଆସିବା ପରେ ଆଉ ୪ ଜଣ ଛାତ୍ର ଭିତରକୁ ଯାଇଥିଲେ। ପରେ ସମସ୍ତ ୫ ଜଣଙ୍କୁ ବାହାରକୁ ଅଣାଯାଇ ହସ୍ପିଟାଲ୍‌ ନିଆଯାଇଥିଲା। ପୋଲିସ ଓ ପ୍ରଶାସନର ପ୍ରାଥମିକ ଆଶଙ୍କା ଅନୁସାରେ, ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍‌ ଥିବାରୁ ଏହି ଅଘଟଣ ଘଟିଥାଇପାରେ। ମୃତକମାନେ ହେଲେ ମଧ୍ୟପ୍ରଦେଶର ମନୁ କଟାରେ, ଦେବାଂଶ ଶର୍ମା, ପ୍ରୟାଗରାଜର ଆର୍ୟନ ପାଣ୍ଡେ ଓ ମେରଠର ବିଷ୍ଣୁ ଶର୍ମା।

ଘଟଣା ପରେ ମଥୁରା ଜିଲ୍ଲାପାଳ ଚନ୍ଦ୍ର ପ୍ରକାଶ ସିଂହଙ୍କ ସମେତ ମ୍ୟୁନିସିପାଲ କମିଶନର, ଫାୟାର ବିଭାଗ ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁକୁଳରେ କିଏ ପରିଚାଳନା କରୁଥିଲେ, ଏହା କେଉଁଠାରୁ ଚାଲୁଥିଲା ଏବଂ ଆବଶ୍ୟକ କାଗଜପତ୍ର ଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମଥୁରା SSP ଶ୍ଲୋକ କୁମାରଙ୍କ ଅନୁସାରେ, ମୃତ ୪ ଛାତ୍ରଙ୍କ ଶବ ମର୍ଚୁରୀକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଜୀବିତ ଥିବା ଛାତ୍ରଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳର CCTV ଫୁଟେଜ୍‌ ଯାଞ୍ଚ କରାଯାଉଥିବା ସହ ପରିବାରଲୋକଙ୍କ ସହ ଯୋଗାଯୋଗ କରାଯାଇଛି।

ଗୁରୁକୁଳରେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୫୦ ଛାତ୍ର ସଂସ୍କୃତ ଶିକ୍ଷା ପାଇଁ ଆସୁଥିବା ଜଣାପଡ଼ିଛି। ଘଟଣାରୁ ବଞ୍ଚିଥିବା ଜଣେ ଛାତ୍ର କହିଛନ୍ତି ଯେ, ସମସ୍ତେ ଏକାସାଙ୍ଗରେ ଟାଙ୍କ ଭିତରକୁ ଯାଇନଥିଲେ; ପ୍ରଥମେ ଜଣେ ଛାତ୍ର ଯାଇଥିଲେ ଏବଂ ପରେ ଘଟଣାକ୍ରମରେ ଅନ୍ୟମାନେ ଭିତରକୁ ଯାଇଥିଲେ। ଗୁରୁକୁଳରେ ଛାତ୍ରମାନେ ରହିବା ସହ ସଫେଇ ଭଳି କାମ ମଧ୍ୟ ନିଜେ କରୁଥିବା ସେ କହିଛନ୍ତି। ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରି ମୃତ ଛାତ୍ରଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ତଦନ୍ତରେ ଯେଉଁମାନେ ଦୋଷୀ ମିଳିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories