Students Union Election: ଛାତ୍ର ସଂସଦ ନିର୍ବାଚନ ବିଗୁଲ୍, ୯ରୁ ନାମାଙ୍କନ ଓ ୧୫ରେ ଭୋଟ୍
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ସୁଯୋଗ ରହିଛି। ୧୪ ତାରିଖରେ ‘ହ୍ୱାଏ ଆଇ ଷ୍ଟାଣ୍ଡ୍ ଫର୍’ ବୈଠକ ହେବାକୁ ଥିବା ବେଳେ ୧୫ ତାରିଖରେ ଭୋଟ୍ ଗ୍ରହଣ ହେବ। ୧୬ ତାରିଖରେ ନବନିର୍ବାଚିତ ପ୍ରତିନିଧିମାନେ ଶପଥ ନେବେ। ନିର୍ବାଚନ ସମୟରେ କ୍ୟାମ୍ପସରେ ଲିଙ୍ଗଡୋ କମିସନଙ୍କ ନିୟମ କଡ଼ାକଡ଼ି ପାଳନ କରାଯିବ।
ଛାତ୍ର ସଂସଦ ନିର୍ବାଚନକୁ ନେଇ ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ସମୟରେ କ୍ୟାମ୍ପସରେ ଯେପରି କୌଣସି ଅଶାନ୍ତି କିମ୍ବା ଗଣ୍ଡଗୋଳ ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଅଣଛାତ୍ରଙ୍କ ଗତିବିଧି ଉପରେ ନଜର ରଖାଯିବ। ଏଥିପାଇଁ ଜିଲ୍ଲାପାଳ, ଏସ୍ପି ଓ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ନେଇ ୩ ଜଣିଆ ସମନ୍ୱୟ କମିଟି ଗଠନ କରାଯିବ।
କ୍ୟାମ୍ପସରେ ଅଣଛାତ୍ରଙ୍କ ହସ୍ତକ୍ଷେପ ଯେପରି ନହୁଏ, ସେଥିପ୍ରତି ସମନ୍ୱୟ କମିଟି ନଜର ରଖିବ। ଏହାସହ ଜିଲ୍ଲାପାଳ ଓ ଏସ୍ପି କ୍ୟାମ୍ପସ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ନିର୍ବାଚନ ପ୍ରକ୍ରିୟା ଯେପରି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୁଏ, ସେଥିପାଇଁ ପୋଲିସ ଓ କଲେଜ ପ୍ରଶାସନ ପକ୍ଷରୁ ସମନ୍ୱୟ ରଖି ପଦକ୍ଷେପ ନିଆଯିବ।

