Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhagwant Mann CBI Raid: CBI ଖାଲି ହାତରେ ଫେରିଲା କହି ବିଜେପିକୁ ଟାର୍ଗେଟ୍‌ କଲେ ଭଗବନ୍ତ ମାନ

ପଞ୍ଜାବ: ପଞ୍ଜାବର ସାଙ୍ଗରୁରରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ OSD ରାଜବୀର ସିଂହ ଘୁମନଙ୍କ ଘରେ CBI ତଲାସୀକୁ ନେଇ ରାଜନୈତିକ ବିବାଦ ତେଜ ହୋଇଛି। ତଲାସୀ ପରେ ଭଗବନ୍ତ ମାନ୍ ବିଜେପିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, CBI ରେଡ୍‌ ଦେଖାଉଛି ଯେ, ନିର୍ବାଚନ ପାଖେଇ ଆସିଛି। ତାଙ୍କ ଅଭିଯୋଗ ଅନୁସାରେ, ଯେଉଁଠି ନିର୍ବାଚନ ଆସେ ସେଠାରେ ବିରୋଧୀ ନେତା କିମ୍ବା ସେମାନଙ୍କ ସହ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ CBI ଓ ED ଭଳି କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରାଯାଉଛି।

ମାନ୍‌ କହିଛନ୍ତି ଯେ, ସାଙ୍ଗରୁରର ଘରାଚୋନ୍‌ ଗାଁରେ CBIର ତଲାସୀ ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏବଂ ତାଙ୍କ ଦାବି ଅନୁସାରେ ଏଜେନ୍ସି ଖାଲି ହାତରେ ଫେରିଛି। ସେ ଏହାକୁ ତାଙ୍କ ସରକାର ଓ AAPକୁ ବଦନାମ କରିବାର ଏକ ରାଜନୈତିକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, CBI ମାନଙ୍କ OSD ରାଜବୀର ଘୁମନଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଏକାଧିକ ସ୍ଥାନରେ ତଲାସୀ କରିଥିବା ରିପୋର୍ଟ ଆସିଛି। ତଦନ୍ତରେ ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଓ କିଛି ଦସ୍ତାବିଜ ଜବତ ହୋଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ସେପଟେ ଘରାଚୋନ୍‌ ଗାଁରେ CBI ଟିମ୍‌ ପହଞ୍ଚିବା ପରେ କିଛି ବିରୋଧୀ ଦଳ ସମର୍ଥକ ତାଙ୍କୁ ସ୍ୱାଗତ କରିଥିବା ଦେଖାଯାଇଥିଲା। CBI ଗାଡ଼ି ବାହାରିବା ବେଳେ ଢୋଲ ବଜାଇବା, ଭାଙ୍ଗଡ଼ା କରିବା ଓ ଫୁଲ ପକାଇବା ଭଳି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ନେଇ ବିଜେପି ନେତା ତରୁଣ ଚୁଗ୍‌ ମାନ୍‌ ଓ AAPକୁ ଟାର୍ଗେଟ୍‌ କରି ତଦନ୍ତକୁ ଆଗକୁ ବଢ଼ିବାକୁ ଦେବା ଉଚିତ ବୋଲି କହିଛନ୍ତି। ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ ପଞ୍ଜାବ ସରକାର CBI ତଦନ୍ତ ସମ୍ପର୍କିତ ହାଇକୋର୍ଟ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ