Delhi Building Collapse: ଦିଲ୍ଲୀର ସତ୍ୟନିକେତନ ପରେ, ପୁଣି ସୀମାପୁରୀ ଅଞ୍ଚଳରେ ଭୁଶୁଡ଼ିଲା କୋଠା, ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ କୋଠା ଭୁଶୁଡ଼ି ପଡ଼ିବା ଘଟଣା ଚିନ୍ତା ବଢ଼ାଇଛି। ବୁଧବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ କୋଠାର ସମ୍ମୁଖ ଭାଗ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଖବର ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ଗାଡ଼ି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, କୋଠାଟି ଭୁଶୁଡ଼ିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ସହ ମାଟି ଓ ଭଙ୍ଗା କୋଠାର ଅଂଶ ହଟାଇବାରେ ଲାଗିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ଥିବାରୁ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୬ରେ ଦିଲ୍ଲୀର ସତ୍ୟ ନିକେତନରେ ମରାମତି କାମ ଚାଲିଥିବା ବେଳେ ଏକ ପିଜି କୋଠା ଭୁଶୁଡ଼ି ପଡ଼ିଥିଲା। ସେହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଆହତ ହୋଇଥିଲେ। ଏହାର ମାସକ ପରେ ସୀମାପୁରୀରେ ପୁଣି କୋଠା ଭୁଶୁଡ଼ିବା ଘଟଣା ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଓ କୋଠାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

