Kulgam Terror Associates Arrested: ୫ ଆତଙ୍କୀ ସହଯୋଗୀ ଗିରଫ ଅଭିଯୋଗ, ପିସ୍ତଲ-ଗ୍ରେନେଡ ସହ ଗୁଳି ଜବତ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମ ପୋଲିସ ୯ ରାଷ୍ଟ୍ରୀୟ ରାଇଫଲ୍ସ (9RR) ଏବଂ ୧୮ ବାଟାଲିୟନ୍ CRPF ସହ ମିଶି ୫ ଜଣଙ୍କୁ ଆତଙ୍କୀ ସହଯୋଗୀ ଅଭିଯୋଗରେ ଗିରଫ କରିଛି। ପୋଲିସ ଅନୁସାରେ, ଖୁରୱାନ ଚାଦର ଅଞ୍ଚଳରୁ ସେମାନଙ୍କୁ ଧରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୩ଟି ମ୍ୟାଗାଜିନ୍, ୯ ଏମ୍ଏମ୍ର ୪୦ ରାଉଣ୍ଡ ଗୁଳି ଏବଂ ୩ଟି ଗ୍ରେନେଡ ଜବତ ହୋଇଥିବା ଦାବି କରାଯାଇଛି। ଘଟଣା ସମ୍ପର୍କରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ପୋଲିସକୁ ମିଳିଥିବା ଏକ ବିଶ୍ୱସନୀୟ ସୂଚନା ଆଧାରରେ କୁଲଗାମ ପୋଲିସ, 9RR ଏବଂ 18 ବାଟାଲିୟନ୍ CRPF ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ କରିଥିବା କୁହାଯାଇଛି। ପୋଲିସ ଅନୁସାରେ, ଗିରଫ ହୋଇଥିବା ୫ ଜଣଙ୍କ ଉପରେ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ରହିଛି। ତଦନ୍ତରେ ସେମାନଙ୍କ ଭୂମିକା ଏବଂ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଅଧିକ ତଥ୍ୟ ଯାଞ୍ଚ କରାଯାଉଛି।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଗୁଫବାଲର ତଜମୁଲ ହୁସେନ ମୀର, ଖୁରୱାନର ରହମତ ଅଲୀ ନାଇକୁ ଓ ତହରିମ ଅହମଦ ଭଟ, ଖୁରୱାନ ଚାଦରର ମଞ୍ଜୁର ଅହମଦ ଭଟ ଏବଂ କୁଲଗାମ ମଲତଲହାମାର କିଫାୟତ ଅହମଦ ଡାର। ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ ସେମାନଙ୍କ ପରିଚୟ ପ୍ରକାଶ କରାଯାଇଛି। ଏହି ମାମଲାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

