Prime Focus Income Tax Search: ମୁମ୍ବାଇରେ ନମିତ ମଲହୋତ୍ରାଙ୍କ କମ୍ପାନୀରେ ଆୟକର ବିଭାଗର ରେଡ୍, ବିଦେଶୀ ଟଙ୍କା କାରବାର ନେଇ ଯାଞ୍ଚ
ମୁମ୍ବାଇ: ମୁମ୍ବାଇରେ ବୁଧବାର ଫିଲ୍ମ ପ୍ରଯୋଜକ ନମିତ ମଲହୋତ୍ରାଙ୍କ ଦ୍ୱାରା ପ୍ରତିଷ୍ଠିତ ମିଡିଆ ଓ ଭିଜୁଆଲ୍ ଇଫେକ୍ଟସ୍ କମ୍ପାନୀ Prime Focus Limited ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଖାନ୍ ତଲାସୀ ଆରମ୍ଭ କରିଛି। Prime Focusର କାର୍ଯ୍ୟାଳୟ ସମେତ କମ୍ପାନୀର ଆର୍ଥିକ ପରାମର୍ଶଦାତା ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଜଡ଼ିତ କିଛି ପରିସରରେ ମଧ୍ୟ ଏହି ଯାଞ୍ଚ ହୋଇଥିବା ସୂଚନା ମିଳିଛି।
ଆୟକର ଅଧିକାରୀମାନେ ବିଦେଶକୁ ହୋଇଥିବା ଟଙ୍କା କାରବାର, ଓଭରସିଜ୍ ଫଣ୍ଡ ଟ୍ରାନ୍ସଫର ଏବଂ ସମ୍ଭାବ୍ୟ ଟିକସ ସମ୍ପର୍କିତ ଅନିୟମିତତା ଦିଗରେ ତଥ୍ୟ ଯାଞ୍ଚ କରୁଥିବା କୁହାଯାଉଛି। ତେବେ ଏହି ଯାଞ୍ଚରୁ କୌଣସି ଅନିୟମିତତା ପ୍ରମାଣିତ ହୋଇଛି କି ନାହିଁ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।
ଏହି ଘଟଣା ମଧ୍ୟରେ ନମିତ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ Ramayanaକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଦୁଇ ଭାଗରେ ଆସିବାକୁ ଥିବା ଏହି ଫିଲ୍ମରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁସାରେ ଫିଲ୍ମର ବଜେଟ୍ ପ୍ରାୟ ୪,୦୦୦ କୋଟି ଟଙ୍କା ବୋଲି କୁହାଯାଉଛି ।

