Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nobel Peace Prize 2026: ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲେଙ୍କୁ ନୋବେଲ ଶାନ୍ତି ପୁରସ୍କାର, ଜାଣନ୍ତୁ କାହିଁକି ମିଳିଲା ଏହି ସମ୍ମାନ…

ନୂଆଦିଲ୍ଲୀ: ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ନାଭାନେଥମ୍‌ ‘ନାଭି’ ପିଲ୍ଲେଙ୍କୁ ପ୍ରଦାନ କରାଯାଇଛି। ଭାରତୀୟ ତାମିଲ ବଂଶୋଦ୍ଭବ ନାଭି ପିଲ୍ଲେଙ୍କୁ ଅନ୍ତର୍ଜାତୀୟ ଆଇନର ପ୍ରତିଷ୍ଠା ଏବଂ ନ୍ୟାୟ ପାଇଁ ଦୀର୍ଘଦିନର ଉଦ୍ୟମ ନିମନ୍ତେ ଏହି ସମ୍ମାନ ମିଳିଛି। ଶୁକ୍ରବାର, ଅକ୍ଟୋବର ୯ରେ ନରୱେର ନୋବେଲ କମିଟି ଏହି ଘୋଷଣା କରିଛି।

ନାଭି ପିଲ୍ଲେ ଦୀର୍ଘବର୍ଷ ଧରି ଜାତିଗତ ଭେଦଭାବ ବିରୋଧରେ ଲଢ଼େଇ କରିବା ସହ ମାନବାଧିକାର ସୁରକ୍ଷା ଓ ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ କାମ କରିଛନ୍ତି। ସେ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ ରୁଆଣ୍ଡା ପାଇଁ ଗଠିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍‌ରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଯୁଦ୍ଧ ଅପରାଧ, ମାନବତା ବିରୋଧୀ ଅପରାଧ ଓ ନରସଂହାର ଭଳି ମାମଲାରେ ନ୍ୟାୟ ଏବଂ ଦୋଷୀଙ୍କୁ ଉତ୍ତରଦାୟୀ କରିବା ଦିଗରେ ତାଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଛି।

ଦକ୍ଷିଣ ଆଫ୍ରିକାରେ ଜାତିଗତ ଭେଦଭାବର ସମୟରେ ବଢ଼ିଥିବା ନାଭି ପିଲ୍ଲେ ନିଜର ଆଇନଗତ ଦକ୍ଷତା ଓ ମାନବାଧିକାର ପ୍ରତି ପ୍ରତିବଦ୍ଧତା ଦ୍ୱାରା ବିଶ୍ୱସ୍ତରରେ ପରିଚିତି ହାସଲ କରିଛନ୍ତି। ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଅନ୍ତର୍ଜାତୀୟ ନ୍ୟାୟ, ମାନବାଧିକାର ଓ ଆଇନର ଶାସନର ଗୁରୁତ୍ୱକୁ ପୁଣିଥରେ ଉଜାଗର କରିଛି। ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ସମାରୋହ ଡିସେମ୍ବର ୧୦ରେ ନରୱେର ଓସ୍ଲୋଠାରେ ଅନୁଷ୍ଠିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ