Delhi CJP Protest: ଜନ୍ତରମନ୍ତରରେ ଆନ୍ଦୋଳନକୁ ନେଇ ୨୫୦ ଟ୍ରେନ୍ ବାତିଲ୍ ଏବଂ ମେଟ୍ରୋ ଷ୍ଟେସନ ବନ୍ଦ; ‘Emergency’ ସହ ତୁଳନା କଲେ CJP ନେତା ଅଭିଜିତ ଦିପକେ
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ CJPର ପ୍ରସ୍ତାବିତ ପ୍ରତିବାଦକୁ ନେଇ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ଅକ୍ଟୋବର ୧୦ରେ ହେବାକୁ ଥିବା ଏହି ପ୍ରତିବାଦ ପୂର୍ବରୁ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ୍କୁ ଆସୁଥିବା ଏବଂ ସେଠାରୁ ଛାଡ଼ୁଥିବା ଟ୍ରେନ୍ଗୁଡ଼ିକୁ ସକାଳ ୪ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାତିଲ୍ କରାଯାଇଥିବା ରିପୋର୍ଟ ହୋଇଛି। ଏହାସହ ଅନେକ ମେଟ୍ରୋ ଷ୍ଟେସନ୍ ବନ୍ଦ ରଖିବା ଏବଂ ସହରରେ ସୁରକ୍ଷା କଟକଣା ବଢ଼ାଇବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି।
ଟ୍ରେନ୍ ବାତିଲ୍ ଓ ଯାତାୟାତ ଉପରେ କଟକଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦିପକେ ସରକାରଙ୍କୁ ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରତିବାଦ ଯୋଗୁଁ ସାଧାରଣ ଲୋକଙ୍କୁ ଅସୁବିଧା ହେବ ବୋଲି ଦର୍ଶାଇ ମୁମ୍ବାଇରେ ଅନୁମତି ଦିଆଯାଇନଥିଲା, କିନ୍ତୁ ଦିଲ୍ଲୀରେ ଟ୍ରେନ୍ ଓ ମେଟ୍ରୋ ସେବା ବାଧାପ୍ରାପ୍ତ ହେବା ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଉଛି। ଏହି ପରିସ୍ଥିତିକୁ ସେ ଜରୁରୀକାଳୀନ ପରିସ୍ଥିତି (Emergency) ସମୟ ସହ ତୁଳନା କରି ସମାଲୋଚନା କରିଛନ୍ତି।
CJP ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଏହି ପ୍ରତିବାଦ ଡାକରା ଦିଆଯାଇଛି। ତେବେ ଟ୍ରେନ୍ ବାତିଲ୍ ସମ୍ପର୍କରେ ରେଳବାଇ ପକ୍ଷରୁ ଷ୍ଟେସନ୍ ନିକଟରେ ଭିଡ଼ ଓ ଯାତାୟାତ ଜନିତ ଅସୁବିଧାକୁ ଏଡ଼ାଇବା କାରଣ ଦର୍ଶାଯାଇଛି। ଏହି ପଦକ୍ଷେପକୁ ନେଇ ସରକାରଙ୍କ ସମର୍ଥନ ଓ ସମାଲୋଚନା—ଉଭୟ ପକ୍ଷରୁ ମତ ପ୍ରକାଶ ପାଉଛି।

