CJP Protest: ଦିଲ୍ଲୀରେ ବ୍ୟାରିକେଡ୍ ସହ ସ୍ପାଇକ୍ ଷ୍ଟ୍ରିପ୍, ୨୦ ହଜାର ସୁରକ୍ଷାକର୍ମୀ ମୁତୟନ
ନୂଆଦିଲ୍ଲୀ: ‘Cockroach Janta Party’ (CJP) ପକ୍ଷରୁ ଅକ୍ଟୋବର ୧୦ରେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରସ୍ତାବିତ ବିକ୍ଷୋଭକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ସୀମା, କେନ୍ଦ୍ରୀୟ ଅଞ୍ଚଳ ଓ ବିକ୍ଷୋଭକାରୀମାନେ ଏକାଠି ହେବାର ସମ୍ଭାବନା ଥିବା ସ୍ଥାନଗୁଡ଼ିକରେ ପୋଲିସ ଓ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ଦକ୍ଷିଣ-ପୂର୍ବ ଦିଲ୍ଲୀର ମୋହନ ଏଷ୍ଟେଟ୍ ଅଞ୍ଚଳରେ ବ୍ୟାରିକେଡ୍ ସହ ସ୍ପାଇକ୍ ଷ୍ଟ୍ରିପ୍ ଲଗାଯାଇଛି। ନିଷିଦ୍ଧ ଅଞ୍ଚଳକୁ ଯାନବାହନ ପ୍ରବେଶ ରୋକିବା ଏବଂ ଯାଞ୍ଚ ପରେ ଗାଡ଼ିଗୁଡ଼ିକୁ ଆଗକୁ ଯିବାକୁ ଦେବା ପାଇଁ ପୋଲିସ ଏହି ବ୍ୟବସ୍ଥା କରିଛି।
CJP ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ବିକ୍ଷୋଭ ଡାକରା ଦିଆଯାଇଛି। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଓ ଫର୍ମ-୬ରେ ସଂଶୋଧନକୁ ନେଇ ଅନିୟମିତତା ହୋଇଥିବା ଦଳ ଅଭିଯୋଗ କରିଛି। ଏହା ପୂର୍ବରୁ ଧ୍ରୁବ ରାଠୀ, ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇବା ପରେ ଅଟକ ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। CJPର ଅନ୍ୟ କିଛି ନେତା ଓ ୫୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଅଟକ ରଖାଯାଇଥିବା ଖବର ଆସିଛି।
ବିକ୍ଷୋଭ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ୨୦ ହଜାରରୁ ଅଧିକ କର୍ମଚାରୀ ମୁତୟନ କରିଛନ୍ତି। ସୁରକ୍ଷା ପଦକ୍ଷେପର ଅଂଶ ଭାବେ ଦିଲ୍ଲୀ ମେଟ୍ରୋର ୪୫ଟି ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରାଯାଇଥିବା ରିପୋର୍ଟ ହୋଇଛି। ଏହା ସହ ଶନିବାର ସକାଳ ୪ଟାରୁ ଦିନ ୨ଟା ମଧ୍ୟରେ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନରେ ପହଞ୍ଚିବାକୁ ଥିବା ୨୫୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଥିବା କୁହାଯାଇଛି। ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି ଜୋନ୍ରେ ବିଭକ୍ତ କରି ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

