Salman Khan YouTube Channel: ନିଜ ନାଁରେ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଲେ ସଲମାନ ଖାନ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ ନିଜର ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ‘Being The Salman Khan’ ମାଧ୍ୟମରେ ପ୍ରଶଂସକଙ୍କୁ ତାଙ୍କ ପୁରୁଣା ଅନ୍ଦାଜ ମନେ ପକାଇଛନ୍ତି। ଏହି ଚ୍ୟାନେଲ୍ରେ ଅଭିନେତାଙ୍କ ବିଭିନ୍ନ ରୂପ ଦେଖିବାକୁ ମିଳୁଛି। ଶୁକ୍ରବାର ସଲମାନ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ଚ୍ୟାନେଲ୍ର ଲିଙ୍କ୍ ସେୟାର କରି ପ୍ରଶଂସକଙ୍କୁ ଏହା ବିଷୟରେ ଜଣାଇଥିଲେ।
ସଲମାନ ନିଜ ପୋଷ୍ଟରେ ଲେଖିଛନ୍ତି, “ଆରମ୍ଭରୁ ଆରମ୍ଭ କରିବା… ମୋର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ A ରୁ Z ପର୍ଯ୍ୟନ୍ତ ସବୁକିଛି ମିଳିବ।” ସେପ୍ଟେମ୍ବର ୨୨ରେ ଏହି ଚ୍ୟାନେଲ୍ ଆରମ୍ଭ ହୋଇଥିବା ବେଳେ ଏଯାଏଁ ୧୦ଟି ଭିଡିଓ ଅପଲୋଡ୍ ହୋଇଛି। ଏହି ଭିଡିଓଗୁଡ଼ିକରେ ସଲମାନଙ୍କ ଦୁଇଟି ରୂପ ଦେଖାଯାଇଛି—ଜଣେ ଅଭିନୟ ଓ ବ୍ୟକ୍ତିତ୍ୱ ପ୍ରଶିକ୍ଷକ ଏବଂ ଅନ୍ୟଜଣେ ନୂଆ ଛାତ୍ର ଭାବରେ |
ଭିଡିଓଗୁଡ଼ିକରେ ପ୍ରଶିକ୍ଷକ ଭୂମିକାରେ ଥିବା ସଲମାନ ଛାତ୍ର ଭୂମିକାରେ ଥିବା ନିଜର ଅନ୍ୟ ରୂପକୁ ଅଭିନୟର ବିଭିନ୍ନ କୌଶଳ ଶିଖାଉଛନ୍ତି। ଏଥିରେ ଶରୀରର ଗତିବିଧି, ସଂଳାପ କହିବାର ଶୈଳୀ ଏବଂ ସଲମାନଙ୍କ ସହ ଜଡ଼ିତ ଖାସ୍ ଅନ୍ଦାଜ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ନୂଆ ଉପସ୍ଥାପନା ମାଧ୍ୟମରେ ସଲମାନଙ୍କ ଅଭିନୟ ଶୈଳୀକୁ ଏକ ଭିନ୍ନ ଢଙ୍ଗରେ ଦେଖିବାର ସୁଯୋଗ ପାଉଛନ୍ତି ପ୍ରଶଂସକ |

