Dhruv Rathee Released: ଜନ୍ତର ମନ୍ତର ଯିବାକୁ ନେଇ Delhi Policeର ଚେତାବନୀ
ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଦିଲ୍ଲୀ ପୋଲିସ ହେପାଜତରୁ ମୁକ୍ତ କରିଛି। ଅକ୍ଟୋବର ୧୧ରେ ପ୍ରକାଶିତ ଲାଇଭ୍ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ CJPର ପ୍ରତିବାଦରେ ଯୋଗ ଦେବାକୁ ଜର୍ମାନୀରୁ ଭାରତ ଆସିଥିବା ଧ୍ରୁବଙ୍କୁ ଶନିବାର ସକାଳେ ଗୁରୁଗ୍ରାମସ୍ଥିତ ବାସଭବନରୁ ଅଟକ ରଖାଯାଇଥିଲା।
ରିପୋର୍ଟ ଅନୁସାରେ, ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଅନୁମତି ନଥିବାରୁ ସେଠାକୁ ନଯିବାକୁ ପୋଲିସ ତାଙ୍କୁ ବୁଝାଇଥିଲା। କିନ୍ତୁ ସେ ନିଜ ନିଷ୍ପତ୍ତିରେ ଅଟଳ ରହିବା ପରେ ତାଙ୍କୁ ଅଟକ ରଖାଯାଇଥିବା କୁହାଯାଇଛି। ମୁକ୍ତି ସମୟରେ ପୋଲିସ ତାଙ୍କୁ ଜନ୍ତର ମନ୍ତର ନଯିବାକୁ ଚେତାବନୀ ଦେଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ଏହି ପ୍ରତିବାଦକୁ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା କଟକଣା ଲାଗୁ ହୋଇଥିଲା। ପୋଲିସ ସୂତ୍ର ଅନୁସାରେ, ୭,୦୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଥିଲା। CJP ମୁଖ୍ୟ ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ମଧ୍ୟ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯିବା ପରେ ସର୍ତ୍ତସାପେକ୍ଷ ମୁକ୍ତ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

