BLA Attack Claim: ପାକିସ୍ତାନର ଗ୍ୱାଦରରେ ୧୩ କୋଷ୍ଟ ଗାର୍ଡଙ୍କୁ ହତ୍ୟା କରିଥିବା ଦାବି କଲା BLA
ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ଗ୍ୱାଦର ଜିଲ୍ଲା ଅନ୍ତର୍ଗତ ଜିୱାନି ଅଞ୍ଚଳରେ ଦୁଇଟି ଡଙ୍ଗା ଉପରେ ଆକ୍ରମଣ ହୋଇଥିବା ଦାବି କରିଛି ବଲୁଚ ଲିବରେସନ୍ ଆର୍ମି (BLA)। ଏହି ଆକ୍ରମଣରେ ୧୩ ଜଣ ପାକିସ୍ତାନୀ କୋଷ୍ଟ ଗାର୍ଡ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସଂଗଠନ ଦାବି କରିଛି। ୧୧ ଅକ୍ଟୋବର ୨୦୨୬ରେ ଜାରି ବିବୃତିରେ BLA କହିଛି ଯେ, ଏହାର ସାମୁଦ୍ରିକ ୟୁନିଟ୍ ‘ହମ୍ମାଲ ମାରିଟାଇମ୍ ଡିଫେନ୍ସ ଫୋର୍ସ’ ଏହି ଆକ୍ରମଣ କରିଛି।
BLAର ମୁଖପାତ୍ର ଜିୟାନ୍ଦ ବଲୋଚଙ୍କ କହିବା ଅନୁସାରେ, ସଂଗଠନ ଏହାର ସାମୁଦ୍ରିକ ୟୁନିଟ୍ ଗଠନ ବିଷୟରେ ୧୩ ଏପ୍ରିଲ ୨୦୨୬ରେ ଘୋଷଣା କରିଥିଲା। ଏହା ପୂର୍ବରୁ ୧୨ ଏପ୍ରିଲରେ ଜିୱାନିର ମିଲ୍ ତିୟାବ ଅଞ୍ଚଳରେ ପାକିସ୍ତାନୀ ନୌସେନାର ଏକ ପାଟ୍ରୋଲିଂ ଡଙ୍ଗା ଉପରେ ଆକ୍ରମଣ କରି ତିନି ଜଣ ନୌସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ମଧ୍ୟ BLA ଦାବି କରିଥିଲା। ଏହି ଦାବିଗୁଡ଼ିକ ସମ୍ପର୍କରେ ସ୍ୱାଧୀନ ଭାବେ ତଥ୍ୟ ଯାଞ୍ଚ ହୋଇନାହିଁ।
ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ପ୍ରତିକ୍ରିୟା ଆସିନାହିଁ। ଆକ୍ରମଣରେ ପ୍ରକୃତରେ କେତେ ଜଣ ମୃତାହତ ହୋଇଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହା କେବଳ BLA ପକ୍ଷରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରାଯାଉଛି | ତେବେ ପାକିସ୍ତାନ ସେନା କିମ୍ବା ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିବା ପରେ ସ୍ପଷ୍ଟ ଭାବେ ଜଣାପଡିବ |

