Delhi Protest Sites: ଜନ୍ତର ମନ୍ତରରେ ବିକ୍ଷୋଭ ବନ୍ଦ, ଦିଲ୍ଲୀ ପୋଲିସ ଘୋଷଣା କଲା ୩ ନୂଆ ସ୍ଥାନ
ନୂଆଦିଲ୍ଲୀ: ଦିଲ୍ଲୀରେ ୩ ଦଶନ୍ଧିରୁ ଅଧିକ ସମୟ ଧରି ବିକ୍ଷୋଭର ପ୍ରମୁଖ ସ୍ଥଳ ରହିଥିବା ଜନ୍ତର ମନ୍ତରକୁ ଏବେ ନିର୍ଦ୍ଧାରିତ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦିଆଯାଇଛି। ଏହା ବଦଳରେ ରାମଲୀଳା ମଇଦାନ, ବୁରାଡ଼ି ମଇଦାନ ଏବଂ ପୂର୍ବ ଦିଲ୍ଲୀର CBD ମଇଦାନକୁ ବିକ୍ଷୋଭ ପାଇଁ ନୂଆ ସ୍ଥାନ ଭାବେ ଚିହ୍ନଟ କରିଛି ଦିଲ୍ଲୀ ପୋଲିସ। ଅକ୍ଟୋବର ୧୧ରେ ଜାରି ଏକ ଆଦେଶରେ ପୋଲିସ କମିଶନର ଅନୁରାଗ କୁମାର ଏହି ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗଠନ କରିଥିବା ଏକ କମିଟିର ସୁପାରିସ ଆଧାରରେ ବିକ୍ଷୋଭ ପାଇଁ ବିକଳ୍ପ ସ୍ଥାନ ଚୟନ କରାଯାଇଥିବା ପୋଲିସ କମିଶନରଙ୍କ ଆଦେଶରେ ଉଲ୍ଲେଖ ରହିଛି। ଏହି ତିନୋଟି ସ୍ଥାନରେ ସଭା ଓ ପ୍ରତିବାଦ ଆୟୋଜନ ପାଇଁ ନୂଆ ନିୟମାବଳୀ ବା SOP ପରେ ଜାରି କରାଯିବ। ତେଣୁ ନୂଆ ସ୍ଥାନରେ ବିକ୍ଷୋଭ କରିବା ପାଇଁ କେଉଁ ସର୍ତ୍ତ ପାଳନ କରିବାକୁ ପଡ଼ିବ, ତାହା ସେହି ନିୟମାବଳୀରୁ ସ୍ପଷ୍ଟ ହେବ।
୧୯୯୩ରେ ଜନ୍ତର ମନ୍ତରକୁ ଦିଲ୍ଲୀର ନିର୍ଦ୍ଧାରିତ ବିକ୍ଷୋଭ ସ୍ଥଳ ଭାବେ ଚିହ୍ନଟ କରାଯାଇଥିଲା। ଏହି ସ୍ଥାନରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଏବଂ ୨୦୨୩ରେ କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ହୋଇଥିଲା। ଏବେ ଜନ୍ତର ମନ୍ତରକୁ ଏହି ତାଲିକାରୁ ବାଦ୍ ଦେବା ଫଳରେ ଦିଲ୍ଲୀରେ ସାଧାରଣ ପ୍ରତିବାଦ ଆୟୋଜନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଛି।

