Bhopal Hostel Food Safety: ଆଳୁ ତରକାରୀରେ ଝିଟିପିଟି, ୧୩ ଛାତ୍ର ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳସ୍ଥିତ ରାତିବଡ଼ ଅଞ୍ଚଳର ଶ୍ରମୋଦୟ ବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟରୁ ଝିଟିପିଟି ମିଳିବାକୁ ନେଇ ଚର୍ଚ୍ଚା ହୋଇଛି। ହଷ୍ଟେଲରେ ପରସା ଯାଇଥିବା ଆଳୁ ତରକାରୀରେ ଝିଟିପିଟି ମିଳିଥିବା ପରେ ୧୩ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ବାନ୍ତି ଓ ଝାଡ଼ା ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।
ସୂଚନା ଅନୁସାରେ, ଘଟଣା ପରେ ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ଚିକିତ୍ସା ଦିଆଯାଇଛି ଏବଂ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସାଧାରଣ ରହିଛି। ହଷ୍ଟେଲରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣରେ ଅବହେଳା ହୋଇଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ଏହି ଘଟଣାକୁ ନେଇ କ୍ୟାଣ୍ଟିନ୍ ପରିଚାଳକଙ୍କୁ ନୋଟିସ୍ ଜାରି କରାଯାଇଛି।
ଅନ୍ୟପଟେ, ଘଟଣାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଏହି ଘଟଣା ପ୍ରଶ୍ନ ଉଠାଇଛି। ତଦନ୍ତ ପରେ ଖାଦ୍ୟରେ ଅସ୍ୱଚ୍ଛତା କିମ୍ବା ଅନ୍ୟ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହା ସ୍ପଷ୍ଟ ହେବ।

