Imran Khan vs FRRO: Anti-CEC Protest ପରେ ‘Leave India’ Notice ବିରୋଧରେ Bombay High Courtର ଦ୍ୱାରସ୍ଥ ଅଭିନେତା
ବଲିଉଡ୍ ଅଭିନେତା ଇମ୍ରାନ ଖାନ୍ଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଥିବା ନୋଟିସ୍କୁ ଚ୍ୟାଲେଞ୍ଜ କରି ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ପକ୍ଷରୁ ଜାରି ନୋଟିସ୍ରେ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ କୁହାଯାଇଛି। ଏହି ନୋଟିସ୍ ଉପରେ ତୁରନ୍ତ ରୋକ୍ ଲଗାଇବା ସହ ଏହାକୁ ରଦ୍ଦ କରିବା ପାଇଁ ସେ ଆବେଦନ କରିଛନ୍ତି। ଆସନ୍ତା ସୋମବାର ଜରୁରୀ ଶୁଣାଣି ପାଇଁ ଆବେଦନ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।
ଅକ୍ଟୋବର ୧୦ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ପ୍ରତିବାଦ ସମୟରେ ଇମ୍ରାନଙ୍କୁ ଅନ୍ୟ ପ୍ରତିବାଦକାରୀଙ୍କ ସହ ଅଟକ ରଖାଯାଇଥିଲା। ଏହାପରେ FRRO ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି କରିଥିବା ରିପୋର୍ଟରେ କୁହାଯାଇଛି।
ଇମ୍ରାନଙ୍କ ପକ୍ଷରୁ ଦାଖଲ ଆବେଦନରେ କୁହାଯାଇଛି ଯେ, କେଉଁ ନିୟମ ଉଲ୍ଲଂଘନ ପାଇଁ ଏହି ନୋଟିସ୍ ଦିଆଯାଇଛି, ତାହା କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି। ଏଥିସହ ସେ ଜଣେ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCI) କାର୍ଡଧାରୀ ହୋଇଥିବାରୁ ତାଙ୍କର ସ୍ଥିତିକୁ ବିଚାର କରାଯାଇନଥିବା ଆବେଦନରେ ଦର୍ଶାଯାଇଛି। ନୋଟିସ୍ ଜାରି କରିବା ପଛରେ ଥିବା ସମସ୍ତ ଦସ୍ତାବିଜ୍ ଓ ରେକର୍ଡ ଉପସ୍ଥାପନ କରିବାକୁ ମଧ୍ୟ FRROକୁ ନିର୍ଦ୍ଦେଶ ଦେବା ପାଇଁ ସେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।

