Gurugram Crime: “We’re Leaving This World” ମେଲ୍ ପଠାଇଲେ Techie, ପତ୍ନୀଙ୍କ ସହ ମିଳିଲା ମୃତଦେହ
ହରିୟାଣାର ଗୁରୁଗ୍ରାମରେ ଏକ ଭଡ଼ା ଫ୍ଲାଟ୍ରୁ ଜଣେ ୩୦ ବର୍ଷୀୟ ଟେକ୍ନୋଲୋଜି କର୍ମଚାରୀ ମହମ୍ମଦ ଅସଲମ ଓ ତାଙ୍କ ପତ୍ନୀ ଫରହାନାଙ୍କ ମୃତଦେହ ମିଳିଛି। ବୁଧବାର M3M Marina ଆବାସିକ ସୋସାଇଟିର ଟାୱାର-୭ରେ ଥିବା ସେମାନଙ୍କ ଭଡ଼ା ଫ୍ଲାଟ୍ରୁ ମୃତଦେହ ଉଦ୍ଧାର କରାଯାଇଥିଲା। ସେହି ଦିନ ଫରହାନାଙ୍କ ଜନ୍ମଦିନ ଥିଲା। ମୃତ୍ୟୁ ପୂର୍ବରୁ ଅସଲମ ନିଜ କାର୍ଯ୍ୟାଳୟକୁ ଏକ ଇମେଲ୍ ପଠାଇ “We are leaving this world” ଲେଖିଥିବା ଜଣାପଡ଼ିଛି। ଇମେଲ୍ରେ ସେ ପରିବାର ସଦସ୍ୟ ଓ ଘର ମାଲିକଙ୍କ ଫୋନ୍ ନମ୍ବର ମଧ୍ୟ ଦେଇଥିଲେ।
ସକାଳ ପ୍ରାୟ ୭ଟାରେ ଇମେଲ୍ ମିଳିବା ପରେ ଅସଲମଙ୍କ ସହକର୍ମୀମାନେ ଘର ମାଲିକଙ୍କୁ ସୂଚନା ଦେଇଥିଲେ। ଘର ମାଲିକ ଫ୍ଲାଟ୍ରେ ପହଞ୍ଚି ଅସଲମଙ୍କୁ ଝୁଲନ୍ତା ଅବସ୍ଥାରେ ଏବଂ ଫରହାନାଙ୍କୁ ଚଟାଣରେ ମୃତ ଅବସ୍ଥାରେ ପାଇଥିଲେ। ଫରହାନାଙ୍କ ବେକରେ ଆଘାତ ଚିହ୍ନ ଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ଫ୍ଲାଟ୍ରୁ “We are leaving this world” ଲେଖାଥିବା ଏକ ଚିଠି ଏବଂ ଫରହାନାଙ୍କ ପୋଷାକରେ ହାତଲେଖା “I love you” ଶବ୍ଦ ମଧ୍ୟ ମିଳିଛି।
ପୁଲିସ ଘଟଣାସ୍ଥଳରୁ ତିନୋଟି ଲାପଟପ୍, ଦୁଇଟି ମୋବାଇଲ୍ ଫୋନ୍, ଦଉଡ଼ି, ଡାଏରୀ, କଇଁଚି ଓ ପେନ୍ଡ୍ରାଇଭ୍ ଜବତ କରି ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଇଛି। ପ୍ରାଥମିକ ତଦନ୍ତ ଆଧାରରେ ଅସଲମ ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜ ଜୀବନ ନେଇଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଦମ୍ପତିଙ୍କ ମୃତ୍ୟୁର ପ୍ରକୃତ ପରିସ୍ଥିତି ଜାଣିବା ପାଇଁ ତଦନ୍ତ ଜାରି ରହିଛି।

