Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Cyclone Alert: ଅକ୍ଟୋବର ୨୯-୩୦ରେ ବାତ୍ୟା ଆଶଙ୍କା, ଓଡ଼ିଶା ଉପକୂଳ ନେଇ ବଢ଼ିଲା ଚର୍ଚ୍ଚା

ଅକ୍ଟୋବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ବିଭିନ୍ନ ପାଣିପାଗ ମଡେଲ୍‌ର ଆକଳନ ଚିନ୍ତା ବଢ଼ାଇଛି। କିଛି ମଡେଲ୍‌ ଅନୁସାରେ, ଅକ୍ଟୋବର ୨୯-୩୦ ତାରିଖରେ ବାତ୍ୟା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ। ସମୁଦ୍ର ଜଳର ଅଧିକ ତାପମାତ୍ରା ବାତ୍ୟା ଗଠନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ବାତ୍ୟାର ତୀବ୍ରତା, ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ସମ୍ପର୍କରେ ଏବେଠାରୁ ନିଶ୍ଚିତ ଆକଳନ କରିବା ସମ୍ଭବ ନୁହେଁ।

ପୂର୍ବ ଆକଳନ ଅନୁଯାୟୀ, ଅକ୍ଟୋବର ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଏବଂ ୨୪ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଇସିଏମଡବ୍ଲ୍ୟୁଏଫ୍‌ ମଡେଲ୍‌ ଓଡ଼ିଶା ଉପକୂଳ ଆଡ଼କୁ ସମ୍ଭାବ୍ୟ ବାତ୍ୟାର ଗତିପଥ ଦର୍ଶାଉଥିବାବେଳେ, ଅନ୍ୟ ମଡେଲ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଜିଏଫ୍‌ଏସ୍‌ର ଏଆଇ ମଡେଲ୍‌ ଏହା ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଇପାରେ ବୋଲି ଦର୍ଶାଉଥିବାବେଳେ, ଜିଏଫ୍‌ଏସ୍‌ ମଡେଲ୍‌ର ଅନ୍ୟ ଏକ ଆକଳନରେ ବାଂଲାଦେଶ ଆଡ଼କୁ ଗତି କରିବାର ସମ୍ଭାବନା ଦର୍ଶାଯାଇଛି।

ସୋଆର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ, ଅକ୍ଟୋବର ୨୨ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇପାରେ। ଏହା ୩୦ ତାରିଖ ବେଳକୁ ସ୍ଥଳଭାଗକୁ ମୁହାଁଇପାରେ ବୋଲି ସେ ଆକଳନ କରିଛନ୍ତି। ତେବେ ଏହା ପ୍ରାରମ୍ଭିକ ପୂର୍ବାନୁମାନ ମାତ୍ର। ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ପରବର୍ତ୍ତୀ ଅଧିକୃତ ସୂଚନା ଓ ଅପଡେଟ୍‌ ଉପରେ ନଜର ରଖିବା ଜରୁରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ