ଅଣତାଲିମପ୍ରାପ୍ତ ହୋଇ ବି ସାପ ଉଦ୍ଧାରରେ ଆଗୁଆ ପ୍ରକାଶ ପ୍ରଧାନ,: ସରକାରୀ ତାଲିମ ମିଳିଲେ ବଢ଼ିବ ଦକ୍ଷତା
ଅଣତାଲିମପ୍ରାପ୍ତ ହୋଇ ବି ସାପ ଉଦ୍ଧାରରେ ଆଗୁଆ ପ୍ରକାଶ ପ୍ରଧାନ,: ସରକାରୀ ତାଲିମ ମିଳିଲେ ବଢ଼ିବ ଦକ୍ଷତା
ବାଲିଗୁଡା, ତା, ୨୧/୧୦ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସାପ ଉଦ୍ଧାର କଥା ଉଠିଲେ ମନେପଡ଼ନ୍ତି ପ୍ରକାଶ ପ୍ରଧାନ। ଅଞ୍ଚଳରେ ସାପ ଦେଖାଗଲେ ଲୋକେ ତାଙ୍କୁ ଖବର ଦେଇଥାନ୍ତି। ଖବର ପାଇବା ମାତ୍ରେ ସେ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଜନବସତି ଠାରୁ ଦୂର ଜଙ୍ଗଲରେ ଛାଡ଼ିଦେଉଥିବା କୁହାଯାଉଛି। ସାପ ପ୍ରତି ଲୋକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କା ମଧ୍ୟରେ ପ୍ରକାଶଙ୍କ ଏହି କାର୍ଯ୍ୟ ଅଞ୍ଚଳବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେବେ ସେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ସାପ ଉଦ୍ଧାର ତାଲିମ ପାଇନଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ତାଙ୍କର ଆଗ୍ରହ ଓ ଅଭିଜ୍ଞତାକୁ ଉପଯୁକ୍ତ ତାଲିମ ମାଧ୍ୟମରେ ଅଧିକ ଦକ୍ଷତାରେ ପରିଣତ କରିବାର ଆବଶ୍ୟକତା ରହିଛି। ସାପ ଉଦ୍ଧାର କେବଳ ସାହସର କାମ ନୁହେଁ; ଏଥିପାଇଁ ସାପର ପ୍ରଜାତି ଚିହ୍ନଟ, ସୁରକ୍ଷିତ ଉଦ୍ଧାର ପଦ୍ଧତି, ଆବଶ୍ୟକ ଉପକରଣର ବ୍ୟବହାର ଓ ଉପଯୁକ୍ତ ସ୍ଥାନରେ ଛାଡ଼ିବା ସମ୍ପର୍କରେ ବୈଷୟିକ ଜ୍ଞାନ ଜରୁରୀ। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସାପ ଉଦ୍ଧାର ଓ ପୁନର୍ବାସ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ସମ୍ପୃକ୍ତ ବନ ବିଭାଗ ପ୍ରକାଶ ପ୍ରଧାନଙ୍କ ଆଗ୍ରହକୁ ଗୁରୁତ୍ୱ ଦେଇ ତାଙ୍କୁ ଆନୁଷ୍ଠାନିକ ତାଲିମ ଓ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କଲେ ସେ ଅଞ୍ଚଳରେ ଏକ ଦକ୍ଷ ସାପ ଉଦ୍ଧାରକାରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଲୋକଙ୍କ ସୁରକ୍ଷା ସହ ସାପଙ୍କ ସଂରକ୍ଷଣ ଦିଗରେ ମଧ୍ୟ ସହାୟତା ମିଳିପାରିବ। ସାହସ ସହ ତାଲିମର ସମନ୍ୱୟ ହିଁ ସୁରକ୍ଷିତ ସାପ ଉଦ୍ଧାରର ମୂଳମନ୍ତ୍ର। ତେଣୁ ପ୍ରକାଶଙ୍କ ଭଳି ଆଗ୍ରହୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଲିମ ଦେବା ସହ ଅନୁମୋଦିତ ସାପ ଉଦ୍ଧାରକାରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେବା ଦିଗରେ ବନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

