Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଲଙ୍କେଶ୍ୱରୀଙ୍କ ଦଶରା ଉତ୍ସବ ଓ ଜହ୍ନି ଓଷା ସମ୍ପନ୍ନ।

କଳାହାଣ୍ଡି,୨୧/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ଅନ୍ତର୍ଗତ ବଡ଼ କେନ୍ଦୁଗୁଡ଼ା ଗ୍ରାମର ଇଷ୍ଟଦେବୀ ମାଁ ଲଙ୍କେଶ୍ୱରୀଙ୍କ ବାର୍ଷିକ ଦଶରା ଉତ୍ସବ ଓ କୁମାରୀ କନ୍ୟାମାନଙ୍କ ଜହ୍ନି ଓଷା ମଙ୍ଗଳବାର ଧାର୍ମିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଆଧ୍ୟାତ୍ମିକ ଉତ୍ସାହ ସହ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ଦଶରା ଉତ୍ସବ ଅବସରରେ ମଙ୍ଗଳବାର ସକାଳେ ଗ୍ରାମ ପୂଜକ ଶିବ ପୂଝାରୀଙ୍କ ଘରେ ଲାଠି ଓ କୁର୍ଚ୍ଚି ପହଞ୍ଚିବା ପରେ ଗ୍ରାମର ବିଭିନ୍ନ ଦେବୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ପୂଜକଙ୍କ ଘରେ କୁମାରୀ କନ୍ୟାମାନେ ପାରମ୍ପରିକ ରୀତିରେ ଜହ୍ନି ଓଷା ପାଳନ କରିଥିଲେ। ଏଥିରେ ଗ୍ରାମର ଶତାଧିକ କୁମାରୀ କନ୍ୟା ଯୋଗ ଦେଇଥିଲେ।
ଲାଠି ଓ କୁର୍ଚ୍ଚିକୁ ଏକ ଶୋଭାଯାତ୍ରାରେ ମାଁ ଲଙ୍କେଶ୍ୱରୀଙ୍କ ମନ୍ଦିରକୁ ନିଆଯାଇଥିଲା। ସେଠାରେ ପାରମ୍ପରିକ ବିଧି ଅନୁସାରେ ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହି ସମୟରେ ଶିରା ଡମ୍ବରୁଧର ବେମାଲଙ୍କୁ କାଳିସୀ ଲାଗିଥିବା ବେଳେ ଢୋଲ, ନାଗରାର ତାଳେ ତାଳେ ଦେବୀ ନୃତ୍ୟ କରିଥିଲେ। ବହୁ ମାନସିକଧାରୀ ଭକ୍ତ ମାଁଙ୍କ ଦର୍ଶନ କରିବା ସହ ମନ୍ତ୍ରିତ ଚାଉଳକୁ ବିନତି ଭାବେ ଗ୍ରହଣ କରିଥିଲେ। ପରେ ମାନସିକଧାରୀମାନେ ପୀଠରେ ପାରମ୍ପରିକ ପ୍ରଥା ଅନୁଯାୟୀ ପାରା, କୁକୁଡ଼ା ଓ ଛେଳି ବଳି ଦେଇଥିଲେ।
ଏହି ଅବସରରେ ରାତିରେ ମାଁ ଲଙ୍କେଶ୍ୱରୀ ଯୁବକ ସଂଘ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଂଘର ସଭାପତି ଆଦିତ୍ୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟ ଅତିଥି ଏବଂ ସମାଜସେବୀ ଯୀତେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ସମ୍ପାଦକ ସନ୍ତୋଷ ମାଝୀ, କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, ସମିତି ସଭ୍ୟା ବୈଦେହୀ ବେଶ୍ରା, ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଜିଲ୍ଲା କମିଟି ସଦସ୍ୟ ଅର୍ଜୁନ ଭାଟି, ଆମପାଣି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଯୁବକ ସଂଘର ବରିଷ୍ଠ ସଦସ୍ୟ ହେମନ୍ତ ହଂସ, ୱାର୍ଡ ସଭ୍ୟ କେଦାର ନାଗ, ଚଞ୍ଚଳ ନାଏକ ଓ ଭୀମସେନ ଭାଟି ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ମଞ୍ଚ ଉଦ୍‌ଘାଟନ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ଯୁବକ ସଂଘର ସଦସ୍ୟ ତଥା ଶିକ୍ଷାବିତ୍ ପ୍ରଶନ୍ନ ନାଏକ ଓ କ୍ଷେତ୍ରମୋହନ ନାଏକ ପରିଚାଳନା କରିଥିଲେ। ଉତ୍ସବର ଆୟୋଜନରେ ଯୁବକ ସଂଘର ପୂଜା କମିଟି ସଭାପତି ସୁରେନ୍ଦ୍ର ଗୋପାଳ, ସମ୍ପାଦକ ତିଲକରାମ ନାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ନାଏକ, ଉପସଭାପତି ଅଜିତ ନାଏକ, ସହ ସମ୍ପାଦକ ଜଗବନ୍ଧୁ ହଂସ, ସଦସ୍ୟ ଯୁବରାଜ ପୁଝାରୀ, ସାଗର ଶବର, ନିଲାମ ଧ. ମାଝୀ, ପିଣ୍ଟୁ ନାଗ, ରମେଶ ଗୋପାଳ, ଯୁକ୍ତେଶ୍ୱର ବେମାଲ ଓ କପିଳ ଭାଟିଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ