Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନସମସ୍ୟାକୁ ଜଳାଞ୍ଜଳି, ନେତାଙ୍କ ବ୍ୟକ୍ତିଗତ କାଦୁଅଫିଙ୍ଗା: ଟିଟିଲାଗଡ଼ରେ ଟୁକୁନୀ-ନବୀନଙ୍କ ଶାଣିତ ବାକ୍‌ଯୁଦ୍ଧକୁ ନେଇ କ୍ଷୀଣ ହେଉଛି ଜନଆସ୍ଥା ।

ବଲାଙ୍ଗୀର,୨୬।୧୦: ଟିଟିଲାଗଡ଼ ରାଜନୀତି ଏବେ ଜନସେବା ପରିବର୍ତ୍ତେ ନେତାମାନଙ୍କ ବ୍ୟକ୍ତିଗତ ଅହଂକାର ଓ ‘ପିଲାଳିଆ କଳି’ର ଆଡ୍ଡା ପାଲଟିଛି। ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଗୁଡ଼ିକୁ ପଛରେ ପକାଇ, ଧର୍ମୀୟ ସମାବେଶ ଗୁଡ଼ିକୁ ରାଜନୈତିକ ଆଖାଡ଼ା କରିଥିବା ଜନ ପ୍ରତିନିଧି ମାନେ ନିଜର ଶାଳୀନତା ଓ ମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇଛନ୍ତି। ପରସ୍ପରକୁ ସ୍ତରହୀନ ଭାବେ ଆକ୍ରମଣ କରିବା ଏବଂ ଏହାକୁ ପାରିବାରିକ ସ୍ତରକୁ ଟାଣିବା ଘଟଣା ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି କରିଛି।
ଗତ ଦୁଇଦିନ ତଳେ ଟିଟିଲାଗଡ଼ରେ ଅନୁଷ୍ଠିତ ଦୁଇଟି ଭିନ୍ନ ଧାର୍ମିକ ସମାବେଶ ଏକ ପ୍ରକାର ରାଜନୈତିକ ଆକ୍ରୋଶର ମଞ୍ଚ ସାଜିଥିଲା। ଉଭୟ ଦଳର ଶୀର୍ଷ ନେତାଙ୍କ ଏହି ଆଚରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଜନସାଧାରଣଙ୍କ ମଧ୍ୟରେ ହସାଉଡ଼ାର ବିଷୟ ପାଲଟିଛି। ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସାହୁ ବର୍ତ୍ତମାନର ବିଧାୟକଙ୍କୁ ମିଛ ପ୍ରତିଶ୍ରୁତିର କାହାଣୀ ଶୁଣାଇ କାମର ହିସାବ ମାଗିଥିଲେ। ଏପରିକି ଟଙ୍କା ଲୋଭରେ ଅଞ୍ଚଳବାସୀ ଟିଟିଲାଗଡ଼କୁ ଜଣେ ବେପାରୀ ହାତରେ ଟେକିଦେଲେ ବୋଲି ସେ କଟୁ ସମାଲୋଚନା କରିଥିଲେ।
ଅନ୍ୟପକ୍ଷରେ, ବିଧାୟକ ନବୀନ ଜୈନ ଅଢ଼େଇ ବର୍ଷର ବିକାଶ କାମର ହିସାବ ଦେବା ସହ ପୂର୍ବତନ ମନ୍ତ୍ରୀ ଓ ତାଙ୍କ ପରିବାରର ଅତୀତକୁ ଟାଣି ସମ୍ପତ୍ତିର ହିସାବ ମାଗିଥିଲେ। ଦୁଇ-ଦୁଇ ଥର ମନ୍ତ୍ରୀ ଥାଇ ମଧ୍ୟ ଟିଟିଲାଗଡ଼ ପାଇଁ ସେ କ’ଣ କରିଛନ୍ତି, ସେନେଇ ସେ ଦୃଢ଼ ପ୍ରଶ୍ନବାଣ ଛାଡ଼ିଥିଲେ। ନେତାମାନେ ନିଜର ବାକ୍‌ବିଳାସ ଓ ଗୋଡ଼ାଣିଆ ସମର୍ଥକଙ୍କୁ ନେଇ ମସଗୁଲ ଥିବାବେଳେ ଟିଟିଲାଗଡ଼ର ମାଟିରେ ବିକାଶର ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଅନ୍ଧାରୁଆ ।
୭ କୋଟି ଟଙ୍କାର ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଦୁଇଟି ଶୀତଳ ଭଣ୍ଡାର ଆଜିଯାଏଁ କେବଳ କାଗଜପତ୍ର ଓ ତାଲାବନ୍ଦ ଅବସ୍ଥାରେ ପଡ଼ିରହିଛି। ଦୀର୍ଘଦିନର ବହୁପ୍ରତୀକ୍ଷିତ ଟିଟିଲାଗଡ଼ ଜିଲ୍ଲା ଦାବି ଏବେ ନାଲି ଫାଇଲ୍ ତଳେ ଚାପି ହୋଇ ଅନ୍ଧାରରେ ରହିଛି। ଡାକ୍ତର ଅଭାବ ଓ ଭଙ୍ଗା ସ୍ୱାସ୍ଥ୍ୟସେବା କାରଣରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସଇଁନ୍ତଲା ବ୍ଲକରେ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ କେବଳ ଶୁଖିଲା ଟାଙ୍କିରେ ରଙ୍ଗମରା କାମରେ ସୀମିତ ରହିଛି, ଜନସାଧାରଣ ପାଣି ପାଉନାହାନ୍ତି।
ସଇଁନ୍ତଲା-ବାଦୀପଡ଼ା ଲାନ୍ଥ ନଦୀ ବ୍ରିଜ୍ ରାସ୍ତା କାମ ଅଧାପନ୍ତରିଆ ଭାବେ ପଡ଼ିରହିଛି। ନେତାମାନେ ପରସ୍ପର ବିରୁଦ୍ଧରେ ଫାଙ୍କା ବୟାନବାଜି ଓ ରାଜନୈତିକ ଷ୍ଟଣ୍ଡ୍‌ବାଜି ବନ୍ଦ କରି ଅଞ୍ଚଳର ଜ୍ୱଳନ୍ତ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ। ଏଭଳି ଶିଶୁ ସୁଲଭ ଓ ବ୍ୟକ୍ତିଗତ କଳିକୁ ଜନତା ଆଉ କଦାପି ବରଦାସ୍ତ୍ କରିବେ ନାହିଁ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories