କଣ୍ଟାବାଞ୍ଜିରେ ଓ ମୁରିବାହାଲରେ ୧୦ ଦିନ ହେଲା ଭାଲୁ ଆତଙ୍କ: ଡ୍ରୋନ୍ ସହାୟତାରେ ବନ ବିଭାଗର ସନ୍ଧାନ ଜାରୀ
ବଲାଙ୍ଗୀର,୨୨।୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏବଂ ମୁରିବାହାଲରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୧୦ ଦିନରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ଭାଲୁ ଆତଙ୍କ ଲାଗି ରହିଥିବା ବେଳେ ବନ ବିଭାଗକୁ ଏହାର କୌଣସି ପତ୍ତା ମିଳୁନଥିବାରୁ ସାଧାରଣରେ ମନରେ ଅସନ୍ତୋଷ, ଗଭୀର ଚିନ୍ତା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ କିଛି ଦିନ ତଳେ ଭାଲୁ ଆକ୍ରମଣରେ ଡୁମେରଚୁଆଁ ଗ୍ରାମର ସୁରେନ୍ଦ୍ର ମାଝୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ସୁରେନ୍ଦ୍ର ସାଇକେଲ ମରାମତି କାମରେ କଣ୍ଟାବାଞ୍ଜି ଆସିଥିଲେ। କାମ ସାରି ରାତିରେ ନିଜ ଘରକୁ ଫେରୁଥିବା ସମୟରେ ସହରର ଶିଶୁ ଉଦ୍ୟାନ ନିକଟରେ ଏକ ଭାଲୁ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା, ଯାହାଫଳରେ ତାଙ୍କର ପ୍ରାଣହାନି ଘଟିଥିଲା।
ଭାଲୁକୁ ତୁରନ୍ତ ଠାବ କରିବା ପାଇଁ ବଲାଙ୍ଗୀରରୁ ଆସିଥିବା ସ୍ୱତନ୍ତ୍ର ଆରଆରଟି (RRT) ଟିମ୍ ଏବଂ ସ୍ଥାନୀୟ ବନ କର୍ମଚାରୀମାନେ ମିଳିତ ଭାବେ ବ୍ୟାପକ ଅଭିଯାନ ଚାଲୁ ରଖିଛନ୍ତି। ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ଡ୍ରୋନ୍ କ୍ୟାମେରା ସହାୟତାରେ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଛି। ସୂଚନା ମୁତାବକ, କଣ୍ଟାବାଞ୍ଜି ନିକଟସ୍ଥ ଡାବରୀ ଗ୍ରାମ ପାଖରେ ଭାଲୁର ପାଦଚିହ୍ନ ଚିହ୍ନଟ ହୋଇଥିବା ବେଳେ ବିଭିନ୍ନ ସମୟରେ ଉପରୋକ୍ତ ଅଞ୍ଚଳ ଗୁଡିକରେ ଭାଲୁର ଚଳ ପ୍ରଚଳ କରୁଥିବା ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ତେବେ ସୋସିଆଲ ମିଡିଆରେ ଭାଲୁକୁ ନେଇ କୌଣସି ନକଲି ଫଟୋ କିମ୍ବା ଭ୍ରାନ୍ତ ଖବର ପ୍ରଚାର ନକରିବାକୁ ବନ ବିଭାଗ ପକ୍ଷରୁ ଜନସାଧାଣଙ୍କୁ ଅନୁରୋଧ କରାଯାଇଛି। ଏହିଭଳି ମିଥ୍ୟା ସୂଚନା ଲୋକଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି କରିବା ସହ ବିଭାଗର ଉଦ୍ଧାର ଅଭିଯାନକୁ ମଧ୍ୟ ପ୍ରଭାବିତ କରୁଛି।
ଭାଲୁକୁ ଶୀଘ୍ର ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସଂପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ଭାଲୁ ଧରାପଡ଼ିବା ପର୍ଯ୍ୟନ୍ତ ସତର୍କ ରହିବାକୁ ଏବଂ କୌଣସି ଖବରର ସତ୍ୟତା ଯାଞ୍ଚ ନକରି ସୋସିଆଲ ମିଡିଆରେ ପ୍ରସାର ନକରିବାକୁ ବନ ବିଭାଗ ପକ୍ଷରୁ ଦୃଢ଼ ପରାମର୍ଶ ଦିଆଯାଇଛି।

