Lucknow Temple Theft: ଲକ୍ଷ୍ନୌ ମନ୍ଦିରରେ ଦିନଦ୍ୱିପ୍ରହରେ ଚୋରି, ମା’ ଲକ୍ଷ୍ମୀଙ୍କ ଅଳଙ୍କାର ସହ ଶ୍ରୀନାଥଜୀଙ୍କ ମୁକୁଟ ନେଇଗଲେ ମହିଳା
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ସଆଦତଗଞ୍ଜର ଚୌପଟିଆ ଅଞ୍ଚଳର ପ୍ରସିଦ୍ଧ ଚାରୋଁ ଧାମ ମନ୍ଦିରରୁ ଦିନଦ୍ୱିପ୍ରହରେ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। CCTV ଫୁଟେଜ୍ ଅନୁସାରେ, ଜଣେ ମହିଳା ଶ୍ରଦ୍ଧାଳୁ ବେଶରେ ମନ୍ଦିରକୁ ପ୍ରବେଶ କରିଥିଲେ। ସୁଯୋଗ ଦେଖି ସେ ମା’ ଲକ୍ଷ୍ମୀଙ୍କ ପ୍ରତିମାରୁ ରୁପା ଛତା ଓ ନାକଫୁଲ ଏବଂ ଶ୍ରୀନାଥଜୀଙ୍କ ପ୍ରତିମାରୁ ମୁକୁଟ ନେଇ ଚାଲିଯାଇଥିବା ଦାବି କରାଯାଇଛି।
ମନ୍ଦିରରୁ ଦେବଦେବୀଙ୍କ ଅଳଙ୍କାର ଗାଏବ ହେବା ପରେ ପରିଚାଳନା କମିଟି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ମନ୍ଦିରର CCTV ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଭିଡିଓରେ ଜଣେ ମହିଳା ଅଳଙ୍କାର ନେଇ ଯାଉଥିବା ଦୃଶ୍ୟ ଥିବା କୁହାଯାଉଛି। ଘଟଣାଟି ଦିନବେଳେ ଘଟିଥିବାରୁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସଆଦତଗଞ୍ଜ ପୋଲିସର କହିବା ଅନୁସାରେ, ମନ୍ଦିର ପରିଚାଳନା ପକ୍ଷରୁ ଏପର୍ଯ୍ୟନ୍ତ ଲିଖିତ ଅଭିଯୋଗ ମିଳିନାହିଁ। ତେବେ ସୋସିଆଲ୍ ମିଡିଆରେ ପ୍ରସାରିତ CCTV ଭିଡିଓକୁ ଗୁରୁତ୍ୱ ଦେଇ ପୋଲିସ ମହିଳାଙ୍କ ପରିଚୟ ଜାଣିବା ସହ ତାଙ୍କୁ ଖୋଜିବା ଆରମ୍ଭ କରିଛି। ଚୋରି ହୋଇଥିବା ଅଳଙ୍କାର ଉଦ୍ଧାର ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ତଦନ୍ତ ଚାଲିଛି।

