Flipkart Delivery Agent Arrested: ଗ୍ରାହକଙ୍କ ପାର୍ସଲ୍ ଚୋରି କରି ବିକ୍ରି ଅଭିଯୋଗ, ୪.୬୦ ଲକ୍ଷର ସାମଗ୍ରୀ ସହ ଡେଲିଭରି ବୟ ଗିରଫ
ଗୁଜରାଟ: ଗୁଜରାଟର ସୁରତ ଜିଲ୍ଲାରେ ଫ୍ଲିପ୍କାର୍ଟର ଡେଲିଭରି ଏଜେଣ୍ଟ ଭାବେ କାମ କରୁଥିବା ୨୬ ବର୍ଷୀୟ ଋତ୍ୱିକ ମକୱାନା ଓରଫ କୋଲିଙ୍କୁ ଗ୍ରାହକଙ୍କ ପାଇଁ ଥିବା ପାର୍ସଲ୍ରୁ ସାମଗ୍ରୀ ଚୋରି ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ସମେତ ପ୍ରାୟ ୪.୬୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ଭାବନଗର ପୋଲିସ କହିଛି। ପୋଲିସର ସୂଚନା ଅନୁସାରେ, ପ୍ରାୟ ୧୫ ଦିନ ପୂର୍ବରୁ ଏହି ପାର୍ସଲ୍ଗୁଡ଼ିକ ଚୋରି ହୋଇଥିବା ଅଭିଯୋଗ ରହିଛି।
ଅକ୍ଟୋବର ୨୩ରେ ଭାବନଗର ଲୋକାଲ୍ କ୍ରାଇମ୍ ବ୍ରାଞ୍ଚ (LCB)କୁ ସୂଚନା ମିଳିଥିଲା ଯେ ମୋତିବାଗ ରୋଡ୍ରେ ଗଙ୍ଗାଜଳିଆ ହ୍ରଦର ବନ୍ଧ ନିକଟରେ ଜଣେ ବ୍ୟକ୍ତି ବିଲ୍ କିମ୍ବା ଅନ୍ୟ କାଗଜପତ୍ର ବିନା ମୋବାଇଲ୍ ଫୋନ୍ ଓ ଅନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଏହାପରେ ପୋଲିସ ସେଠାରେ ପହଞ୍ଚି ଋତ୍ୱିକଙ୍କୁ ପଚରାଉଚରା କରିଥିଲା। ସାମଗ୍ରୀଗୁଡ଼ିକ ତାଙ୍କର ବୋଲି ପ୍ରମାଣ କରିବା ପାଇଁ ସେ କୌଣସି ବିଲ୍ କିମ୍ବା ଆବଶ୍ୟକ କାଗଜପତ୍ର ଦେଖାଇପାରିନଥିଲେ।
ପୋଲିସ ସନ୍ଦେହଜନକ ସାମଗ୍ରୀଗୁଡ଼ିକୁ ଜବତ କରି ତାଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଋତ୍ୱିକ ସୁରତରେ ଫ୍ଲିପ୍କାର୍ଟର ଡେଲିଭରି ଏଜେଣ୍ଟ ଭାବେ କାମ କରୁଥିବା ଏବଂ ପ୍ରାୟ ୧୫ ଦିନ ପୂର୍ବରୁ ପାର୍ସଲ୍ ଚୋରି କରିଥିବା ସ୍ୱୀକାର କରିଥିବା ପୋଲିସ ଦାବି କରିଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଜବତ ସାମଗ୍ରୀଗୁଡ଼ିକ କେଉଁ ଗ୍ରାହକଙ୍କ ପାଇଁ ଥିଲା, ସେନେଇ ତଦନ୍ତ ଜାରି ରହିଛି।

