ISRO Launch Pads: ୨୦୨୯ ସୁଦ୍ଧା ଭାରତରେ ୪ଟି ଲଞ୍ଚ ପ୍ୟାଡ୍ କାର୍ଯ୍ୟକ୍ଷମ କରିବାକୁ ଯୋଜନା, ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢିବ
ନୂଆଦିଲ୍ଲୀ: ଭାରତର ମହାକାଶ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ୨୦୨୯ ସୁଦ୍ଧା ୪ଟି କାର୍ଯ୍ୟକ୍ଷମ ଲଞ୍ଚ ପ୍ୟାଡ୍ ପ୍ରସ୍ତୁତ କରିବାକୁ ଯୋଜନା ରହିଛି ବୋଲି ISRO ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି। ଏହି ଯୋଜନା ମାଧ୍ୟମରେ ଭାରତର ଉପଗ୍ରହ ଉତ୍କ୍ଷେପଣ କ୍ଷମତା ବଢ଼ାଇବା ସହ ବିଶ୍ୱସ୍ତରରେ ବଢ଼ୁଥିବା ମହାକାଶ ସେବାର ଚାହିଦା ପୂରଣ କରିବା ଉପରେ ଗୁରୁତ୍ୱ ଦିଆଯିବ।
ISROର ଏହି ରୋଡମ୍ୟାପ୍ରେ ତାମିଲନାଡୁର ତୁତିକୋରିନ ଜିଲ୍ଲାସ୍ଥିତ କୁଲାସେକରପଟ୍ଟିନମ୍ରେ ୨,୦୦୦ ଏକର ଜମିରେ ଏକ ସ୍ୱତନ୍ତ୍ର ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକଲ୍ (SSLV) କମ୍ପ୍ଲେକ୍ସ ନିର୍ମାଣ ଯୋଜନା ରହିଛି। ଏହି କେନ୍ଦ୍ରରେ ଛୋଟ ଉପଗ୍ରହ ଉତ୍କ୍ଷେପଣ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ।
ବିଶ୍ୱ ବଜାରରେ ଛୋଟ ଉପଗ୍ରହ ଉତ୍କ୍ଷେପଣର ଚାହିଦା ବଢ଼ୁଥିବାରୁ ଏହି SSLV କମ୍ପ୍ଲେକ୍ସ ଭାରତର କ୍ଷମତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ଚାରିଟି ଲଞ୍ଚ ପ୍ୟାଡ୍ କାର୍ଯ୍ୟକ୍ଷମ କରିବାର ଯୋଜନା ସଫଳ ହେଲେ ଉପଗ୍ରହ ଉତ୍କ୍ଷେପଣର ସୁଯୋଗ ବଢ଼ିବା ସହ ଅନ୍ତର୍ଜାତୀୟ ମହାକାଶ ବଜାରରେ ଭାରତର ଭୂମିକା ଆହୁରି ବିସ୍ତାର ପାଇପାରେ।

