ବଲାଙ୍ଗୀରରେ ମର୍ମନ୍ତୁଦ ଘଟଣା: ନାବାଳିକାର ରହସ୍ୟଜନକ ମୃତ୍ୟୁ, ବ୍ଲାକମେଲିଂ ଓ ନିର୍ଯାତନା ନେଇ ପରିବାରର ସାଂଘାତିକ ଅଭିଯୋଗ ।
ବଲାଙ୍ଗୀର,୨୬।୧୦: ବଲାଙ୍ଗୀର ଜିଲ୍ଲାରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ତଥା ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷୀୟା ନାବାଳିକାର ରହସ୍ୟଜନକ ମୃତ୍ୟୁ ହୋଇଥିବା ବେଳେ, ମୃତ୍ୟୁ ପୂର୍ବରୁ ସେ ଛାଡ଼ିଯାଇଥିବା ଏକ ସୁଇସାଇଡ୍ ନୋଟ୍ ଏବଂ ପରିବାରବର୍ଗଙ୍କ ଅଭିଯୋଗ ଏବେ ବଡ଼ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମୃତ ନାବାଳିକା ଜଣକ ହେଉଛନ୍ତି ଲିଲିମା ମେହେର, ଯାହାଙ୍କ ବୟସ ୧୪ ବର୍ଷ ବୋଲି ଜଣାପଡିଛି ।
ସେ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ୍ ଜାମୁଟ୍ ଗ୍ରାମର ଅଟନ୍ତି ଏବଂ କଲାମୁଣ୍ଡା ସ୍ଥିତ ବିଦ୍ୟାଶ୍ରୀ ଏକାଡେମୀରେ ରହି ପାଠପଢ଼ୁଥିଲେ।
ଘଟଣାସ୍ଥଳରୁ ଜବତ ହୋଇଥିବା ହାତଲେଖା ସୁଇସାଇଡ୍ ନୋଟ୍ ଅନୁସାରେ, ନାବାଳିକା ଜଣକ ନିଜ ବାପା-ମା’ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।
କିଛି ବ୍ୟକ୍ତି ତାଙ୍କୁ ଅତିମାତ୍ରାରେ ବ୍ଲାକମେଲ୍ କରିବା ସହ ମାନସିକ ନିର୍ଯାତନା ଦେଉଥିବାରୁ ସେ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସେଥିରେ ଉଲ୍ଲେଖ ରହିଛି।
ଏହି ଘଟଣାରେ ମୁକେଶ ରାଜପୁତ, ପିଣ୍ଟୁ ବେହେରା, ରିମା ମହାକୁଡ଼ ଏବଂ ତାଙ୍କ ଭାଉଜଙ୍କ ସଂପୃକ୍ତି ଥିବା ନେଇ ସୁଇସାଇଡ୍ ନୋଟ୍ରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି।
ଘଟଣାକୁ ନେଇ ପରିବାରବର୍ଗଙ୍କ ପ୍ରତିକ୍ରିୟା ଓ ପୁଲିସ ତଦନ୍ତ ନେଇ ସନ୍ଦେହ ପ୍ରକାଶ ପାଇଛି । ଏନେଇ
ମୃତକଙ୍କ ଭାଇ ଟଙ୍କଧର ମେହେର ଏବଂ ଅନ୍ୟ ପରିବାରବର୍ଗ ଅଭିଯୋଗ କରିଛନ୍ତି ଯେ ମୁକେଶ ରାଜପୁତ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଟଙ୍କା ଓ ପ୍ରଭାବ ବଳରେ ମାମଲାକୁ ଚାପିଦେବାକୁ ଚେଷ୍ଟା କରାଯାଉଛି।
ପୁଲିସ ପକ୍ଷରୁ ଘଟଣାରେ ସଠିକ୍ ଓ ତତ୍ପର ପଦକ୍ଷେପ ନିଆଯାଉ ନଥିବାରୁ ପରିବାର ପକ୍ଷରୁ ଗଭୀର ସନ୍ଦେହ ବ୍ୟକ୍ତ କରାଯାଇଛି।
ପରିବାର ଓ ସ୍ଥାନୀୟ ଲୋକେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଇ କଠୋରରୁ କଠୋରତମ ଦଣ୍ଡ ଦିଆଯିବାକୁ ଦୃଢ଼ ଦାବି କରିଛନ୍ତି।

